ଅଷ୍ଟ୍ରେଲିଆନ୍ ଓପନ୍‌: ଶେଷ ୮ରେ ମେଡଭେଡେଭ୍‌, ସାବାଲେଙ୍କା ଆଉଟ୍‌

ମେଲବର୍ଣ୍ଣ,ଏଜେନ୍ସି: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଓ ସିଙ୍ଗଲ୍ସ ବିଭାଗରେ କ୍ୱାର୍ଟର୍ ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ପ୍ରତିଯୋଗିତାର ଅଷ୍ଟମ ଦିନରେ ସୋମବାର ପୁରୁଷ ସିଙ୍ଗଲ୍ସରେ ଚତୁର୍ଥ ସିଡ୍ ଗ୍ରୀକ୍ ଖେଳାଳି ଷ୍ଟେଫାନୋସ୍ ସିଟ୍‌ସିପାସ୍ ଓ ରୁଷିଆର ଦ୍ୱିତୀୟ ସିଡ୍ ଖେଳାଳି ଡାନିଲ୍ ମେଡଭେଡେଭ୍ ସେମାନଙ୍କ ପ୍ରିକ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ବିଜୟୀ ହୋଇ ଶେଷ ୮ ଖେଳାଳି ସୂଚୀରେ ସାମିଲ୍ ହୋଇଛନ୍ତି।

ମହିଳା ସିଙ୍ଗଲ୍ସରେ ମଧ୍ୟ ସପ୍ତମ ସିଡ୍ ପୋଲାଣ୍ଡ୍‌ର ଇଗା ସ୍ୱିଆଟେକ୍ ଚତୁର୍ଥ ରାଉଣ୍ଡ୍ ମ୍ୟାଚ୍‌ରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ଦ୍ୱିତୀୟ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରି ଅଣସିଡେଡ୍ ଖେଳାଳି ଇସ୍ତୋନିଆର କାଇଆ କାନେପି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ତା’ଛଡ଼ା ଚତୁର୍ଦ୍ଦଶ ସିଡ୍ ଖେଳାଳି ରୋମାନିଆର ସିମୋନା ହାଲେପ୍ ମଧ୍ୟ ଆଗକୁ ବଢ଼ିବାରେ ଅସମର୍ଥ ହୋଇଛନ୍ତି।

ପୁରୁଷ ସିଙ୍ଗଲ୍ସରେ ସିଟ୍‌ସିପାସ୍ ୫ ସେଟ୍ ବିଶିଷ୍ଟ କଡ଼ା ମୁକାବିଲାରେ ଆମେରିକାର ବିଂଶତମ ସିଡ୍ ଖେଳାଳି ଟେଲର୍ ଫ୍ରିଜ୍‌ଙ୍କୁ ୪-୬,୬-୪,୪-୬,୬-୩, ୬-୪ରେ ପରାସ୍ତ କରିଛନ୍ତି। ଏଥିସହ ସେ ତୃତୀୟ ଥର ମେଲବର୍ଣ୍ଣ ପାର୍କ ଇଭେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ତାଙ୍କର ମୁକାବିଲା ଇଟାଲୀର ଜାନିକ୍ ସିନରଙ୍କ ସହ ହେବ । କାରଣ ସିନର୍ ଅଷ୍ଟ୍ରେଲିଆର ୩୨ତମ ସିଡ୍ ଖେଳାଳି ଆଲେକ୍ସ ଡି ମିନୌର୍‌ଙ୍କୁ ୭-୬(୭/୩), ୬-୩, ୬-୪ ସେଟ୍‌ରେ ହରାଇଛନ୍ତି।

ସେହିପରି ମେଡଭେଡେଭ୍ କ୍ୟାରିୟର୍‌ରେ ଦ୍ୱିତୀୟ ଥର ପାଇଁ ଏଠାରେ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି। ସେ ସୋମବାର ମୁକାବିଲାରେ ଆମେରିକାର ମ୍ୟାକ୍ସିମ୍ କ୍ରେସିଙ୍କୁ ୬-୨, ୭-୬(୪), ୬-୭(୪), ୭-୫ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ରେ ମେଡଭେଡେଭ୍ ଫ୍ରେଶ୍ ହେବା ସକାଶେ ସମୟ ଚାହିଁଥିଲେ ମଧ୍ୟ ଫ୍ରେଞ୍ଚ୍ ଚେୟାର୍ ଅମ୍ପାୟାର୍ ଲିଚସେନଷ୍ଟିନ୍ ତାଙ୍କୁ ଏହି ଅନୁମତି ଦେଇ ନଥିଲେ। ଫଳସ୍ୱରୂପ କ୍ରେସି ସର୍ଭିସ୍ କରିବାରେ ବ୍ୟାପକ ବିଳମ୍ବ କରୁଥିବା ନେଇ ମେଡଭେଡେଭ୍ ଅଭିଯୋଗ କରିଥିଲେ। ଗତ ବର୍ଷର ଏହି ଫାଇନାଲିଷ୍ଟ୍ କ୍ୱାର୍ଟର୍‌ରେ କାନାଡାର ଫେଲିକ୍ସ ଆଗର୍ ଆଲିଆସିମ୍‌ଙ୍କୁ ଭେଟିବେ। ଫେଲିକ୍ସ ତାଙ୍କ ପ୍ରିକ୍ୱାର୍ଟର୍ ମୁକାବିଲାରେ ୨୭ତମ ସିଡ୍ କ୍ରୋଏସିଆର ମାରିନ୍ ସିଲିକ୍‌ଙ୍କୁ ୭-୫,୭-୬(୭/୩), ୩-୬, ୬-୩ରେ ପରାସ୍ତ କରି ଦ୍ୱିତୀୟ କାନାଡା ଖେଳାଳି ଭାବେ ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ସ୍ୱିଆଟେକ୍ ତାଙ୍କ ରୋମାନିଆ ପ୍ରତିଦ୍ୱନ୍ଦ୍ୱୀ ସୋରାନା ସିର୍ଷ୍ଟିଆ ବିପକ୍ଷ ପ୍ରିକ୍ୱାର୍ଟର୍ ମୁକାବିଲାରେ ୫-୭, ୬-୩, ୬-୩ ସେଟ୍‌ରେ ବିଜୟୀ ହୋଇଛନ୍ତି। ୨୦୨୦ରେ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଜିତିଥିବା ୨୦ ବର୍ଷୀୟା ସ୍ୱିଆଟେକ୍ ୩୮ ର‌୍ୟାଙ୍କ୍ ବିଶିଷ୍ଟ ଖେଳାଳି ସିର୍ଷ୍ଟିଆଙ୍କୁ ଭେଟିବା ପୂର୍ବରୁ ଗତ ସପ୍ତାହରେ ୩ଟିଯାକ ମ୍ୟାଚ୍‌ରେ ଗୋଟିଏ ବି ସେଟ୍‌ରେ ପରାସ୍ତ ହୋଇ ନ ଥିଲେ। ସେ କ୍ୱାର୍ଟର୍ ଫାଇନାଲ୍‌ରେ କାନେପିଙ୍କୁ ଭେଟିବେ। କାରଣ କାନେପି ଜବରଦସ୍ତ ପ୍ରଦର୍ଶନ ପୂର୍ବକ ସାବାଲେଙ୍କାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛନ୍ତି। ୩୬ ବର୍ଷୀୟା କାନେପି ୫-୭, ୬-୨, ୭-୬(୧୦/୭)ରେ ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି। ସାବାଲେଙ୍କା ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ ହେଁ ତାଙ୍କର ଡବଲ୍ ଫଲ୍‌ଟ ସମସ୍ୟା ତାଙ୍କୁ ପ୍ରତିଯୋଗିତାରୁ ବିଦା କରିଦେଇଛି। ପ୍ରିକ୍ୱାର୍ଟର୍‌ରେ ସେ ୧୫ଟି ଡବଲ୍ ଫଲ୍‌ଟ କରିଥିଲେ।

ଅନ୍ୟପକ୍ଷରେ କାନେପି ପ୍ରଥମ ଥର ପାଇଁ ମେଲବର୍ଣ୍ଣ ପାର୍କ ଇଭେଣ୍ଟ୍‌ର କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି। ସେହିପରି ଅନ୍ୟତମ ପ୍ରିକ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ହାଲେପ୍ ଫ୍ରାନ୍ସର ଅଣସିଡେଡ୍ ଖେଳାଳି ଆଲାଇଜ୍ କୋର୍ନେଟ୍‌ଙ୍କଠାରୁ ୪-୬, ୬-୩, ୪-୬ରେ ପରାସ୍ତ ହୋଇଛନ୍ତି। ଏଥିସହ କୋର୍ନେଟ୍ କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ କ୍ୱାର୍ଟର୍‌ରେ ପହଞ୍ଚିପାରିଛନ୍ତି। ଏହି ରାଉଣ୍ଡ୍‌ରେ ତାଙ୍କର ମୁକାବିଲା ଆମେରିକାର ୨୭ତମ ସିଡେଡ୍ ଖେଳାଳି ଡାନିଏଲ୍ କଲିନ୍ସଙ୍କ ସହ ହେବ। କାରଣ କଲିନ୍ସ ଅନ୍ୟତମ ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ବେଲଜିୟମ୍‌ର ଊନବିଂଶ ସିଡେଡ୍ ଖେଳାଳି ଏଲିସ୍ ମର୍ଟନ୍ସଙ୍କୁ ୪-୬, ୬-୪, ୬-୪ରେ ପରାସ୍ତ କରିଛନ୍ତି। ଏଥିସହ ଚଳିତ ସଂସ୍କରଣରେ ସେ ତୃତୀୟ ଆମେରିକୀୟ ଖେଳାଳି ଭାବେ କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ଜେସିକା ପେଗୁଲା ଓ ମାଡିସନ୍ କିଜ୍ ରବିବାର ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି।