ବୌଦ୍ଧରେ ଦିନକରେ ୯୪ ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ତା’ର କାୟା ବିସ୍ତାରେ କରିବାରେ ଲାଗିଛି । ଗୋଟିଏ ଦିନରେ ୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ହରଭଙ୍ଗା ବ୍ଲକ ସରସରା ଗ୍ରାମରୁ ୨୦ ଜଣ ଚିହ୍ନଟ ହୋଇଥିବାବେଳେ ପୁରୁଣାକଟକରୁ ୨ ଜଣ, ଚାରିଛକରୁ ୯ ଜଣ, ଯୁବରାଜପୁରରୁ ୪, ଘଣ୍ଟାପାଲିରୁ ୩ , ନୂଆପଡାରୁ ୧ ଜଣ ଓ ରାଜିଂରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ସହରରୁ ୧୩ ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ବ୍ଲକର ଅଁଳାପାଲିରୁ ୧୭ ଜଣ, ଜୁରାମୁଣ୍ଡାରୁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କଣ୍ଟାମାଳ ବ୍ଲକର ଭାଲିଆପଦର ଗ୍ରାମରୁ ୨ ଜଣ, ଭୁରକିପଡା ଗ୍ରାମରୁ ଜଣେ, ମନମୁଣ୍ଡା ଗ୍ରାମରୁ ୪ ଜଣ, ତିଲେଇମାଲ ଗ୍ରାମରୁ ଜଣେ, ଦେଉଳି ଗ୍ରାମରୁ ଜଣେ, ପଲସାଗୋରା ଗ୍ରାମରୁ ଜଣେ ଓ ରତାଖଣ୍ଡି ଗ୍ରାମରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୨୫୮ରେ ପହଞ୍ଚିଥିବାବେଳେ ୮୭୩ ଜଣ ସୁସ୍ଥ ହୋଇସାରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଏହା ସମସ୍ତଙ୍କର ଚିନ୍ତା ବୃଦ୍ଧି କରିଛି । ଲକଡାଉନ କଟକଣା ସଂପୁର୍ଣ୍ଣ କୋହଳ ହୋଇସାରିଥିବାରୁ କେବଳ ସଭା ସମିତିକୁ ବାଦ ଦେଲେ ପୂର୍ବପରି ଜିଲ୍ଲାରେ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଯାତ୍ରୀ ପରିବହନ ଓ ବଜାରଗୁଡିକ ଧିରେ ଧିରେ ସ୍ୱାଭାବିକ ହେଉଥିବାବେଳେ କୌଣସି ସ୍ଥାନରେ କିନ୍ତୁ କୋଭିଡ ନିୟମ ପାଳନ ହେଉନଥିବା ଦେଖିବାକୁ ମିଳୁଛି । ଫଳରେ ସଂକ୍ରମଣ ଅଧିକ ବୃଦ୍ଧି ପାଉଛି । ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଶୈଳୀ ସମସ୍ତଙ୍କୁ ନିରାଶ କରିଛି । ସାଧାରଣ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନଥିବା ଅଭିଯୋଗ ହେଉଛି ।

ଲଗାତାର ଦୁଇଜଣଙ୍କ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଯିବାପରେ ଏବଂ କିଛି ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ କୋଭିଡ ଯୋଦ୍ଧାର ମାନ୍ୟତା ଓ ସୁବିଧା ସୁଯୋଗ ପାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଆଉ କୌଣସି ରୋଗୀକୁ ଛୁଇଁବା ମଧ୍ୟ ଉଚିତ ମଣୁନାହାନ୍ତି । କିଛି କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥବା ମଧ୍ୟ ଅଭିଯୋଗ ହେଉଛି । ଫଳରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବ୍ୟବହାର ସାଧାରଣରେ ଅସନ୍ତୋଷ ବୃଦ୍ଧି କରୁଥିବାବେଳେ ଅନେକ ରୋଗୀ ଔଷଧ ଦୋକାନରୁ ପଚାରି ଔଷଧ ନେଇ ଘରକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ତେଣୁ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେବାକୁ ଦାବି ହେଉଛି ।