ରାୟଗଡା,(ଏନ୍ଏନ୍ଏସ୍) : ଜନନୀ ଯନ୍ତ୍ରଣା ପାଇଁ ସବୁ ବେଳେ ରାୟଗଡ଼ା ଜିଲ୍ଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସବୁ ଘଟଣାରେ ଗୋଟିଏ ଉତର ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ ଯାଇପାରିଲା ନାହିଁ ଫଳରେ କିଏ ବିଲ ହୁଡ଼ାରେ ତ ପୁଣି କିଏ ନଦୀ ଘାଟରେ ପୁଣି କେହି ରାସ୍ତା କଡ଼ରେ ପ୍ରସବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଇତି ମଧ୍ୟରେ କୋରାପୁଟ ଭଳି ପଛୁଆ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସୁଗମ କରିବା ପାଇଁ ରାଜ୍ୟ ସରକାର ରୋଗୀଙ୍କ ପାଇଁ ୮ ଟି ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ।
ହେଲେ ଚର୍ଚ୍ଚାରେ ରହି ଆସୁଥିବା ରାୟଗଡ଼ା ଜିଲ୍ଲା ପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ମଧ୍ୟ ବାଇକ ଆମ୍ବୁଲାନ୍ସ ଦିଆଯାଇ ନାହିଁ । ବିଗତ ଦିନରେ ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତୀ ଡ଼ଙ୍ଗରିଆ କନ୍ଧ ଅଞ୍ଚଳରେ ଗମନା ଗମନର ଅସୁବିଧା ଯୋଗୁଁ ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲା ଖଣି ପାଣ୍ଠିରୁ ଗୋଟିଏ ବାଇକ ଆମ୍ବୁଲାନ୍ସ କଲ୍ୟାଣସିଂହପୁର ବ୍ଲକକୁ ଯୋଗାଇ ଦେଇଥିଲେ । ଇତି ମଧ୍ୟରେ କଲ୍ୟାଣସିଂହପୁର ବ୍ଲକକୁ ବାଇକ ଆମ୍ବୁଲାନ୍ସ ଯୋଗାଇ ୩ ବର୍ଷ ପୁରିବାକୁ ବସିଥିବା ବେଳେ ମାତ୍ର ଦୁଇରୁ ତିନିଥର ଏହି ବାଇକ ଆମ୍ବୁଲାନ୍ସରେ ରୋଗିକୁ ଡାକ୍ତରଖାନା ଅଣାଯାଇଛି ।
ସେପଟେ ଜିଲ୍ଲାର କାଶିପୁର , ପଦ୍ମପୁର , ଗୁଡାରୀ , ପଦ୍ମପୁର ଓ ଚନ୍ଦ୍ରପୁର ଆଦି ବ୍ଲକରେ ଅନେକ ଗାଁ ପାହାଡ ଉପରେ ରହିଥିବାରୁ ଜରୁରୀ କାଳିନ ପରିସ୍ଥିତିରେ ସମ୍ପୃକ୍ତ ଗ୍ରାମର ରୋଗୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ବିଭିନ୍ନ ସମସ୍ୟା ଦେଖାଦେଉଛି । ରାୟଗଡା ଜିଲ୍ଲାର ଏହି ସବୁ ଉପାନ୍ତ ଇଲାକାରେ ସ୍ୱାସ୍ଥ୍ୟସେବା ସୁବ୍ୟବସ୍ଥିତ କରିବା ସକାଶେ ବାଇକ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି । ଏବେ ମଧ୍ୟ ଜିଲ୍ଲାର ୪୦୦ ଗାଁକୁ ସବୁଦିନିଆ ରାସ୍ତଟିଏର ସୁବିଧା ନଥିବାରୁ ଦୁର୍ଗମ ଗାଁ’ ଗୁଡ଼ିକରେ ଚାରିଚକିଆ ଆମ୍ବୁଲାନ୍ସ ସେବା ପହଞ୍ôଚବା ଅସମ୍ଭବ ହୋଇପଡୁଛି । ଫଳରେ ରୋଗୀ କିମ୍ବା ଆସନ୍ନ ପ୍ରସବା ଭାରରେ ବୁହା ହୋଇ ପ୍ରଥମେ ଆମ୍ବୁଲାନ୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିକଟବର୍ତ୍ତୀ ଚିକିତ୍ସାଳୟରେ ଭର୍ତ୍ତୀ ହେଉଛନ୍ତି ।
ବେବେ ବେଳେ ଠିକ ସମୟରେ ଡାକ୍ତର ଖାନାରେ ନ ପହଞ୍ଚିପାରି ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଉଛି । ତେବେ ଏଭଳିସ୍ଥିତିରେ ଦୁର୍ଗମ ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ମୁତୟନ ରହିଥିଲେ ଦୁର୍ଗମବାସୀଙ୍କ ନିକଟରେ ଶିଘ୍ର ସ୍ୱାସ୍ଥ୍ୟସେବା ପହଞ୍ôଚପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି ।