କୋଭିଡ୍ ପରିସ୍ଥିତି ଯୋଗୁଁ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ୯୦ ଜଣ ଅତିଥିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ,ଏଜେନ୍ସି: ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜନ ହେଉଥିବା ‘ଆଟ୍ ହୋମ୍’ ଉତ୍ସବକୁ ସାଧାରଣତଃ ୧୫୦୦ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇଥାଏ। କିନ୍ତୁ ଏଥର କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ସର୍ବାଧିକ ୯୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ତାଲିକା ପ୍ରସ୍ତୁତ ହୋଇଛି। ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି ଯେ, ବିଧିରକ୍ଷା ନିମନ୍ତେ ଅଳ୍ପକେ ଉତ୍ସବ ପାଳନ କରାଯିବ। ସେଥିପାଇଁ ଯଥା ସମ୍ଭବ ଅତି କମ୍ ସଂଖ୍ୟକ ଅତିଥିଙ୍କୁ ଡକାଯାଇଛି। ତେଣୁ ଅଗଷ୍ଟ ୧୫ ଦିନ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇପାରିବ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଛଡ଼ା କ୍ୟାବିନେଟର ନିରାପତ୍ତା କମିଟି ଏବଂ ଅଳ୍ପ କେତେକ ବରିଷ୍ଠ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ। ମନ୍ତ୍ରୀମାନଙ୍କ ସଂଖ୍ୟା ୧୦ରୁ ଅଧିକ ହେବ ନାହିଁ। ସେହିପରି ନ୍ୟାୟପାଳିକାରୁ ଆମନ୍ତ୍ରଣ ପାଇବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ୍ ପଟେଲାଣ୍ଡ୍ ଏବଂ ସୁପ୍ରିମକୋର୍ଟର ଅଳ୍ପ କେତେକ ବରିଷ୍ଠ ବିଚାରପତି। ଅମଲାମାନଙ୍କ ମଧ୍ୟରୁ କେବଳ କ୍ୟାବିନେଟ୍ ସଚିବ ଏବଂ ଅଳ୍ପ କେତେକ ବରିଷ୍ଠ ସଚିବଙ୍କୁ ନିମନ୍ତ୍ରଣ କରାଯାଇପାରେ।

ଗତବର୍ଷ ଏହି ଉତ୍ସବକୁ ଅନ୍ୟୂନ ୭୦ ଜଣ ସଚିବ ଦମ୍ପତି ଆସିଥିଲେ। ଏଥର ସଚିବମାନେ ଏକା ଏକା ଆସିବେ। ମାତ୍ର ୧୦ ଜଣ ପ୍ରମୁଖ କୂଟନୀତିଜ୍ଞଙ୍କୁ ନିମନ୍ତ୍ରଣ କରାଯିବ। ଫୁଟ ଷ୍ଟଲରୁ ଖାଦ୍ୟ ପରିବେଷଣ ପରିବର୍ତ୍ତେ ଅତିଥିମାନଙ୍କୁ ଖାଦ୍ୟ ପୁଡିଆ ଏବଂ ପାଣି ବୋତଲ ପ୍ରଦାନ କରାଯିବ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏଥର ଡକାଯାଇ ନପାରେ। ପ୍ରବେଶ ପଥରେ ଅତିଥିମାନଙ୍କୁ ଥର୍ମୋମିଟର୍, ସାନିଟାଇଜର ଏବଂ ମାସ୍କ ଦ୍ୱାରା ସ୍ୱାଗତ କରାଯିବ। ଅର୍ଥାତ୍ ଯଦି କୌଣସି ଅତିଥିଙ୍କ ମାସ୍କ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ, ତାଙ୍କୁ ଏନ୍୯୫ ମାସ୍କ ଦିଆଯିବ।