ଅଯୋଧ୍ୟା ବିବାଦ : ୫୦୦ ବର୍ଷର ଇତିହାସ

ନିତିଦିନ,ବ୍ୟୁରୋ: ଅଯୋଧ୍ୟାରେ ୧୫୨୮ରେ ମୋଗଲ ସମ୍ରାଟ ବାବର ମସଜିଦ୍ ନିର୍ମାଣ କରିଥିବା ସ୍ଥଳ ରାମ ଜନ୍ମଭୁମି ବୋଲି ହିନ୍ଦୁମାନେ ଦାବି କରିବାରୁ ବିବାଦ ଆରମ୍ଭ ହୋଇଥିଲା। ଦେଶ ସ୍ୱାଧୀନତା ହାସଲ କରିବା ପରେ ଏହି ବିବାଦ କ୍ରମଶଃ ମୋଡ ନେଇଥିଲା। ଶେଷରେ ସୁପ୍ରିମକୋର୍ଟ ଏହି ବିବାଦର ସମାଧାନ କରିବାରୁ ବୁଧବାର ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି।

ଏହାର ଏକ ଘଟଣାକ୍ରମ:

୧୯୪୯: ବାବର ନିର୍ମାଣ କରିଥିବା ମସଜିଦ୍ ମଧ୍ୟରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ଠାବ କରାଯାଇଥିଲା। ଏହାକୁ ନେଇ ମୁସଲିମ୍ମାନେ ବିରୋଧ କରିଥିଲେ। ସରକାର ଏହାକୁ ଏକ ବିବାଦୀୟ ଅଞ୍ଚଳ ଘୋଷଣା କରି ଏହାର ଫାଟକରେ ତାଲା ପକାଇ ଦେଇଥିଲେ।

୧୯୫୦: ସେହି ସ୍ଥାନରେ ପୂଜା କରିବା ପାଇଁ ହିନ୍ଦୁ ପକ୍ଷ ଫୈଜାବାଦ୍ କୋର୍ଟରେ ଆବେଦନ କରିଥିଲେ।

୧୯୬୧ : ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକ ଆବେଦନ ଦାଖଲ କରି ଉକ୍ତ ସ୍ଥାନର ମାଲିକାନା ପାଇଁ ଦାବି କରିଥିଲା। ଏଥିସହ ଏଠାରେ ଥିବା ମୂର୍ତ୍ତିକୁ ହଟାଇବାକୁ ଦାବି କରିଥିଲା।

୧୯୮୬: ଜିଲ୍ଲା ଜଜ୍ ଉକ୍ତ ସ୍ଥାନର ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ।

୧୯୯୨: କର ସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗି ଦେଇଥିଲେ। ଏଠାରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରାୟ ୨ ହଜାର ହିନ୍ଦୁ ଓ ମୁସଲିମ୍ ପ୍ରାଣ ହରାଇଥିଲେ।

୨୦୦୧: ମସଜିଦ୍ ଭଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ କଲ୍ୟାଣ ସିଂହଙ୍କ ସମେତ ୧୩ ଜଣଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ୱତନ୍ତ୍ର ଜଜ୍ ରଦ୍ଦ କରିଦେଇଥିଲେ।

୨୦୦୨: କର ସେବକଙ୍କୁ ନେଇ ଯାଉଥିବା ଏକ ଟ୍ରେନରେ ନିଆଁ ଲଗାଇ ଦିଆଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୧୦: ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ୨/୩ ଅଂଶକୁ ହିନ୍ଦୁ ପକ୍ଷ ଓ ୧/୩ ଅଞ୍ଚଳକୁ ମୁସଲିମ୍ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୧: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।

୨୦୧୭: କୋର୍ଟ ବାହାରେ ବୁଝାମଣା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। ଏଥିସହ ବିଜେପି ନେତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ମାମଲା ଚାଲୁ କରିବାକୁ କହିଥିଲେ।

୨୦୧୮: ୧୯୯୪ ମସିହାରେ କୋର୍ଟ କହିଥିଲେ ମସଜିଦ୍ ଇସ୍ଲାମର ଆଭ୍ୟନ୍ତରୀଣ ଅଙ୍ଗ ନୁହେଁ। ଏହାର ସମୀକ୍ଷା କରିବାକୁ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

୨୦୧୯, ମାର୍ଚ୍ଚ ୪: ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିସହ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ।

୨୦୧୯, ଅଗଷ୍ଟ ୧: ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଦାଖଲ।

ଅଗଷ୍ଟ-୨: ମଧ୍ୟସ୍ଥତା ପ୍ୟାନେଲ ଆପୋଷ ସମାଧାନ କରିବାରେ ବିଫଳ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।

ଅଗଷ୍ଟ ୧୬: ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା।

ନଭେମ୍ବର ୧୯: ସୁପ୍ରିମକୋର୍ଟ ବିବାଦୀୟ ଅଞ୍ଚଳକୁ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଟ୍ରଷ୍ଟକୁ ଦେଇଥିଲେ। ସେହିପରି ସୁନ୍ନି ୱାକଫ ବୋର୍ଡକୁ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଦେବାକୁ କହିଥିଲେ।

୨୦୨୦, ଅଗଷ୍ଟ ୫: ସେହି ଅନୁଯାୟୀ ଆଜି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ସାଢେ ୩ ବର୍ଷ ମଧ୍ୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ।