ୟୁପିରେ ୯ଟି ମେଡିକାଲ କଲେଜ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶରେ ୯ଟି ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷରେ ଏହି ମେଡିକାଲ କଲେଜ ଗୁଡିକ ଖୋଲାଯାଉଛି। ଜୁଲାଇ ୯ରେ ପ୍ରଧାନମନ୍ତ୍ରୀ ଏ ସମସ୍ତ ମେଡିକାଲ କଲେଜ ଗୁଡିକର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଉତ୍ତରପ୍ରଦେଶ ଇତିହାସରେ ଏହା ପ୍ରଥମ। ଗୋଟିଏ ଦିନରେ ୯ଟି ମେଡିକାଲ କଲେଜ ଉଦଘାଟନ ହେବ। ଦିଓରିଆ, ଏଟାହ, ଫତେହପୁର, ଗାଜିପୁର, ହାରଦୋଇ, ଜୈନପୁର, ମିରଜାପୁର, ପ୍ରତାପଗଡ ଏବଂ ସିଦ୍ଧାର୍ଥନଗର ଜିଲ୍ଲାରେ ମେଡିକାଲ କଲେଜ ଗୁଡିକ ଖୋଲାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତରେ ପ୍ରତ୍ୟେକ ଜିଲ୍ଲାରେ ଏକ ମେଡିକାଲ କଲେଜ ରହିବା ଉଚିତ୍। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ୨୦୧୭ ପର୍ଯ୍ୟନ୍ତ କେବଳ ୧୨ଟି ମେଡିକାଲ କଲେଜ ଥିଲା। ବର୍ତ୍ତମାନ ସରକାରଙ୍କ ଅଧୀନରେ ଏହା ୪୮କୁ ବୃଦ୍ଧି ପାଇଛି।

ଆହୁରି ୧୩ଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାର ନୂତନ ମେଡିକାଲ କଲେଜଗୁଡ଼ିକର ପ୍ରାୟ ୭୦ ପ୍ରତିଶତ ଅଧ୍ୟାପକ ନିଯୁକ୍ତି ହୋଇସାରିଛନ୍ତି। ଏହି କଲେଜ ଗୁଡ଼ିକରେ ୪୫୦ରୁ ଅଧିକ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ କରିବାକୁ ସିଏମ୍ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟରେ ସ୍ୱାସ୍ଥ୍ୟସେବା ବୃଦ୍ଧି ପାଇଁ ୪୪୧ ଅମ୍ଳଜାନ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏଥିମଧ୍ୟରୁ ୧୩୧ଟି କାର୍ଯ୍ୟକ୍ଷମ ହୋଇସାରିଛି। ରାଜ୍ୟରେ ୩୫୦୦ ହେଲଥ ସବ ଷ୍ଟେସନ, ୧୪୭୫ ପବ୍ଲିକ ହେଲଥ ସେଣ୍ଟର ଏବଂ ୩୯୯ଟି ସହରାଞ୍ଚଳ ପବ୍ଲିକ ହେଲଥ ସେଣ୍ଟର ରହିଛି। ଏହା ବ୍ୟତୀତ ୫୪୨୪ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ହେଉଛି।