ଦେବଗଡ଼,ଏନ୍ଏନ୍ଏସ୍: ଛେଳି ଚୋରି ମାମଲାରେ ୯ ପୁରୁଖା ଅପରାଧୀ ପୁଲିସ ହାତରେ ଧରା ପଡ଼ିଛନ୍ତି। ଚୋରି ଡକାୟତି ସମେତ ଏକାଧିକ ଅପରଧିକ ମାମଲାରେ ବିଭିନ୍ନ ଥାନାରେ ନାମ ଲିପିବଦ୍ଧ ଥିବା ୯ଜଣ ଅଭିଯୁକ୍ତଙ୍କୁ ଦେବଗଡ଼ ଥାନା ପୁଲିସ ଗିରଫ କରି ଗତକାଲି ରାତିରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଲ ଗ୍ରାମର ଟୁନା ରଣା(୩୦), କାଲିଆଖମାର ଗ୍ରାମର ଚୈାଧୁରୀ ପଦିଲ (୨୭), ରେଢ଼ାଖୋଲ ଥାନା ଅନ୍ତର୍ଗତ ଶିଶୁପନ୍ନା ଗ୍ରାମର ପବିତ୍ର ସ୍ୱାଇଁ (୩୨), ହଣ୍ଡପା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଇଲୁ ସୁନ୍ଦର ସାହୁ(୧୯), ରେଢ଼ାଖୋଲ ଥାନା ଅନ୍ତର୍ଗତ ନୂଆଁସାହି ଗ୍ରାମର ଅଜିତ ନାୟକ(୨୭), ରେଢ଼ାଖୋଲ ଥାନା ଅନ୍ତର୍ଗତ ଦେହୁରୀ ସାହିର ଅବନୀ ଦେହୁରୀ(୨୬), ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଖିସାହିର ମହମ୍ମଦ ମୁନ୍ନା(୩୧) ଓ ଛେଣ୍ଡିପଦା ଥାନା ଅଞ୍ଚଳର କରୁଣାକର ବେହେରା(୪୨)। ଅଭିଯୁକ୍ତଙ୍କଠାରୁ ଗୋଟିଏ ଟାଟା ଏସି, ଭ୍ୟାନ ଓ ଗୋଟିଏ ଟ୍ରାକ୍ଟର ସହ ଚୋରି ହୋଇଥିବା ୫ ଛେଳିକୁ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ଖଳିନାଳୀ ଗ୍ରାମର ରାଜା ସାହୁ ଦେବଗଡ଼ ଥାନା ଅନ୍ତର୍ଗତ ଗୋଲବଦନପୁର ଗ୍ରାମର ଫୁକିକାର ଏକ୍କାଙ୍କୁ ନିଜ ଛେଳିଗୁଡ଼ିକର ଦେଖାଶୁଣା ଦାୟିତ୍ୱ ଦେଇଥିଲେ। ତେବେ ଗତ ୧୧ତାରିଖ ସକାଳେ କିଛି ଅଜଣା ବ୍ୟକ୍ତି ଏକ ନମ୍ବରବିହୀନ ଟାଟା ଏସି ଭ୍ୟାନ ଯୋଗେ ଆସି ଫୁକିକାର ଏକ୍କାଙ୍କ ଘରୁ ୫ଟି ଛେଳି ଚୋରି କରି ନେଇଥିଲେ। ଏନେଇ ରାଜା ସାହୁ ସେହିଦିନ ସଂଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଚୋରି ମାମଲା ରୁଜୁ କରି ଏସଆଇ ବୁଦ୍ଧରାଏ ମାଝୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କଠାରୁ ଛେଣ୍ଡିପଦା ଅଞ୍ଚଳର କରୁଣାକର ବେହେରା ୫୦ ହଜାର ଟଙ୍କାରେ ୫ଟି ଛେଳିକୁ କିଣିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଏଥିସହ ସହଯୋଗୀ ଏସଆଇ ପ୍ରତାପ ଚନ୍ଦ୍ର ଦଲାଇଙ୍କ ସହ ଚଢ଼ଉ କରି ଟ୍ରାକ୍ଟର, ଟାଟାଏସି ଭ୍ୟାନ ସହ ଚୋରୀ ହୋଇଥିବା ୫ଟି ଛେଳିକୁ ଜବତ କରିଥିଲେ। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।