ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ବଳବତ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୧ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। କିନ୍ତୁ ପୂର୍ବଭଳି ‘କାଟାଗୋରୀ ଏ’ ଓ ‘କାଟାଗୋରୀ ବି’ ଜିଲ୍ଲା ବଳବତ୍ତର ରହିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବପରି ‘କାଟାଗୋରୀ ଏ’ରେ ୨୦ ଓ ‘କାଟାଗୋରୀ ବି’ରେ ୧୦ଟି ଜିଲ୍ଲା ରହିଛି। ‘କାଟାଗୋରୀ ଏ’ରେ ସପ୍ତାହକ ୭ ଦିନ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ହେବ। ‘କାଟାଗୋରୀ ବି’ରେ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲିବ। ଏଥିସହିତ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।

ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ଲାଗି କିଛି କଟକଣା କୋହଳ କରାଯାଇଛି। ଏଣିକି ସମଗ୍ର ରାଜ୍ୟରେ ବସ ସେବା ଆରମ୍ଭ ହେବ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। କେବଳ ପୁରୀକୁ ଜୁଲାଇ ୨୫ ଯାଏଁ ବସ ଚଳାଚଳ ହେବ ନାହିଁ। ଟ୍ୟାକ୍ସି ଓ ଅଟୋ ରିକ୍ସା ମଧ୍ୟ ସମଗ୍ର ରାଜ୍ୟରେ ଚଳାଚଳ କରିବ। କିନ୍ତୁ ଯେତିକି ସମୟ ବଜାର ଖୋଲା ରହିବ ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ। ସାରା ରାଜ୍ୟରେ ପାର୍ଲର, ଜିମ୍, ସେଲୁନ ଓ ସ୍ପା କାଲିଠାରୁ ଖୋଲିବ। ବିନା ଦର୍ଶକରେ ଆଉଟଡୋର ସ୍ପୋର୍ଟସକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ମଧ୍ୟ ଅନୁମତି ଦିଆଯାଇଛି। ଅନ୍ୟପଟେ ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ ଓ ଯାତ୍ରା ବନ୍ଦ ରହିବ। ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ମଧ୍ୟ ବନ୍ଦ ରହିବ। ରେସ୍ତୋରାଁ ପୂର୍ବପରି ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।