ପାକିସ୍ତାନୀ ସେନା ଉପରେ ବିଦ୍ରୋହୀଙ୍କ ବଡ଼ଧରଣର ଆକ୍ରମଣ, ୮ ସୈନିକଙ୍କୁ ହତ୍ୟା

ଇସଲାମାବାଦ୍‌,ଏଜେନ୍ସି: ଭାରତ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଆତଙ୍କବାଦୀ ପଠାଇଆସୁଥିବା ପାକିସ୍ତାନ ଏବେ ଏହି ସମସ୍ୟାର ସାମ୍ନା କରୁଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନର ଅଶାନ୍ତି ଉତ୍ତର ୱଜିରୀସ୍ତାନ ଅଞ୍ଚଳରେ ବିଦ୍ରୋହୀମାନେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ କି ୭ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ସ୍ଥାନରେ ମଧ୍ୟ ସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ସୈନିକମାନଙ୍କୁ ହତ୍ୟା କରାଯିବା ନେଇ ଦୁଃଖ ପ୍ରକାଶ କରିଛନ୍ତି।

ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେଜ ପବ୍ଲିକ ରିଲେଶନ ପକ୍ଷରୁ କୁହାଯାଇଛି ଯେ ବିଦ୍ରୋହୀମାନେ ଉତ୍ତର ୱଜିରୀସ୍ତାନ ଜିଲ୍ଲାର ଦାତାଖେଳ ତହସୀଲ ଅନ୍ତିର୍ଗତ ସେନାର ଗାଡ଼ି ଉପରେ ଅଙ୍କୁଶ ଲଗାଇ ଆକ୍ରମଣ କରିଛନ୍ତି। ଆକ୍ରମଣରେ ରକେଟ ପରିଚାଳିତ ଗ୍ରେନେଡ ଲଞ୍ଚର ଓ ଆସଲ୍ଟ ଗନ ବ୍ୟବହାର କରାଯାଇଛି। ଏହି ଅଞ୍ଚଳ ପାକିସ୍ତାନ-ଆଫଗାନିସ୍ତାନ ସୀମାଠାରୁ ନିକଟରେ ଅଛି। ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଆଫଗାନିସ୍ତାନ ଫେରାର ହୋଇଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। କିନ୍ତୁ ସେହି ସମୟ ବେଳକୁ ବିଦ୍ରୋହୀମାନେ ପଳାୟନ କରିସାରିଥିଲେ।