ମୁମ୍ବାଇ,ଏଜେନ୍ସି: ମୁମ୍ବାଇର ମାଟୁଙ୍ଗା ଓ ଦାଦର ରେଳଷ୍ଟେସନ ମଧ୍ୟରେ ଶୁକ୍ରବାର ରାତି ପୁଡୁଚେରୀ ଏକ୍ସପ୍ରେସ୍ (୧୧୦୦୫)ର ୩ଟି ଡବା ରେଳଧାରଣାରୁ ଖସିପଡ଼ିଛି। କିନ୍ତୁ ଖୁସିର କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନାହିଁ। ମଧ୍ୟ ରେଳବାଇର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରେଳବାଇର ଯାତାୟତ ପ୍ରଭାବିତ ହୋଇଛି। ରେଳଲାଇନରେ ଅନ୍ୟଦୁଇ ମାର୍ଗରେ ଆସୁଥିବା ଟ୍ରେନ୍କୁ ଅଟକାଇ ଦିଆଯାଇଛି। ସୂଚନା ମିଳିବା ପରେ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ଶୁକ୍ରବାର ରାତି ୯ଟା ୪୫ରେ ଏହି ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ବାହାରିଥିବା ଗଡଗ ଏକ୍ସପ୍ରେସ୍ର ଇଂଜନ ମାଟୁଙ୍ଗା ଷ୍ଟେସନ ନିକଟରେ ପୁଡୁଚେରୀ ଏକ୍ସପ୍ରେସକୁ ଧକ୍କା ମାରିଥିଲା। ଉଭୟ ଏକ୍ସପ୍ରେସ ଟ୍ରେନ୍ ଗୋଟିଏ ସମୟରେ ଦାଦର ଷ୍ଟେସନରୁ ବାହାରିଥିଲା ଏବଂ ଟ୍ରାକ କ୍ରସ କରିବା ସମୟରେ ଧକ୍କା ହୋଇଥିଲା। ଫଳରେ ପୁଡୁଚେରୀ ଏକ୍ସପ୍ରେସର ୩ଟି ଡବା ରେଳଧାରଣାରୁ ଖସିପଡ଼ିଥିଲା। କିନ୍ତୁ କୌଣସି କ୍ଷୟକ୍ଷତି ହୋଇ ନାହିଁ।
ଜିଆରପି (ମୁମ୍ବାଇ)ର ବରିଷ୍ଠ ଅଧିକାରୀମାନେ କହିଛନ୍ତି ରେଳବାଇ ପ୍ରଶାସନ ସମନ୍ୱୟ ରକ୍ଷା କରି ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ, ସମସ୍ତେ ସହଯୋଗ କରନ୍ତୁ। ଜରୁରୀକାଳୀନ ପରିସ୍ଥିତିରେ ୧୫୧୨କୁ କଲ୍ କରନ୍ତୁ।