ଖାଲିଥିବା ମୁଖ୍ୟ ବିଚାରପତି ପଦ ପାଇଁ ୮ ଜଣଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କୁ ୮ ଜଣ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ। ଦେଶର ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଖାଲିଥିବା ମୁଖ୍ୟ ବିଚାରପତିଙ୍କ ପଦ ପୂରଣ ପାଇଁ ନାମ ସୁପାରିଶ ହୋଇଛି। ସେମାନଙ୍କ ମଧ୍ୟରୁ କୋଲକାତା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ରାଜେନ୍ଦ୍ର ବିନ୍ଦଲଙ୍କ ନାମ ସ୍ଥାନ ପାଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଜଷ୍ଟିସ ବିନ୍ଦଲଙ୍କୁ ଗତ ଏପ୍ରିଲ ୨୯ରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରାଯାଇଥିଲା। ରାଜ୍ୟରେ ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ସରକାର ଜଷ୍ଟିସ ବିନ୍ଦଲଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କଲେଜିୟମ୍ ଜଷ୍ଟିସ ବିନ୍ଦଲଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ସୁପାରିସ କରିଛନ୍ତି।

ସେହିପରି କୋଲକାତା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମେଘାଳୟ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ମଧ୍ୟ ସୁପ୍ରିମକୋର୍ଟ ନାମ ସୁପାରିଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ୩ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଁ ୧୦ ମହିଳା ବିଚାରପତିଙ୍କ ସମେତ ୬୮ ଜଣଙ୍କ ନାମ ସୁପାରିଶ କରିଥିଲେ। ବର୍ତ୍ତମାନ ସୁଦ୍ଧା କାହାରିକୁ ନିଯୁକ୍ତି ମିଳିନାହିଁ।