ମାଲକାନଗିରିରେ ଫସିଛନ୍ତି ୮ ବିଦେଶୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୮ଜଣ ବାଙ୍ଗଲାଦେଶ ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି। ଜିଲ୍ଲାର ଏମ ଭି-୯୦ ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରେ ଏକ ଉତ୍ସବରେ ଯୋଗ ଦେବାକୁ ଗତ ଜାନୁଆରୀ ୮ ତାରିଖରେ ବାଙ୍ଗାଲାଦେଶରୁ ଏହି ପର୍ଯ୍ୟଟକମାନେ ଭାରତ ଆସିଥିଲେ। କିନ୍ତୁ କରୋନା ଭୂତାଣୁ ଯୋଗୁଁ ହଠାତ ଲକଡାଉନ ଘୋଷଣା ହେବାରୁ ଏମାନେ ଫସି ରହିଛନ୍ତି। ସମସ୍ତ ବସ୍, ଟ୍ରେନ ବାତିଲ ହୋଇଥିବାରୁ ନିଜ ଦେଶକୁ ଫେରିବା କଷ୍ଟକର ହୋଇପଡ଼ିଛି। ଜନତା କର୍ଫ୍ୟୁ ଦିନଠାରୁ ଏମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ନିଜ ଦେଶକୁ ଫେରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଖାଇବା ପିଇବାରେ କୌଣସି ଅସୁବିଧା ହେଉନଥିବା ବେଳେ ଭିଜା ଅବଧି ପୂର୍ବରୁ ଦେଶ ଫେରିବା ନେଇ ସେମାନଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଛି। ଏମାନେ ହେଲେ ବାଙ୍ଗାଲାଦେଶର ପୋଲହାନ ଜିଲ୍ଲାର ଚୈତାଳୀ ସରକାର, ରସମେୟା ରାୟ, ରିତା ରାୟ, କାଳିଦାସ ସରକାର, ସବିତା ସରକାର, ସୁବିରକାନ୍ତି ବିଶ୍ୱାସ, ପ୍ରଦୀପ ମଣ୍ଡଲ, ରତିନ୍ଦ୍ରନାଥ ସରଦାର। ତେବେ ସୁରକ୍ଷିତ ଭାବେ ବାଙ୍ଗାଲାଦେଶକୁ ଫେରାଇ ନେବା କିମ୍ବା ଭିସାର ଅବଧି ବଢ଼ାଇବା ପାଇଁ ଏମାନେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ଭାରତ ସରକାର ସମେତ ବାଙ୍ଗାଲାଦେଶ ସରକାରଙ୍କୁୁ ନିବେଦନ କରିଛନ୍ତି।