ଲକଡାଉନ ନିୟମ ଉଲଂଘନକାରୀଙ୍କୁ ଉଠବସ, ଜୋରିମାନା, କୋର୍ଟ ଚାଲାଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ପାଳନ କରି ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ କିଛି ବେପରୁଆ ଲୋକ ନିୟମ ନ ମାନି ବାହାରେ ବୁଲୁଛନ୍ତି। ଏଭଳି ସ୍ଥିତିରେ ପ୍ରଥମ ଦୁଇ ଦିନ ପୁଲିସ ସଚେତନ କରିଥିବା ବେଳେ ଏବେ ଅନାବଶ୍ୟକ ଭାବରେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ଉଠବସ, ଜୋରିମାନା ତଥା କୋର୍ଟ ଚାଲାଣ ମଧ୍ୟ କରୁଛି।

ଶୁକ୍ରବାର ସକାଳେ କିଛି ଯୁବକ ବାହାରେ ବୁଲୁଥିବାବେଳେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ପୁଲିସ ହାତରେ ଧରା ପଡ଼ିଥିଲେ। ବିନା କାରଣରେ ଘରୁ ବାହରିଥିବାରୁ ପୁଲିସ ସେମାନଙ୍କୁ କାନ ଧରି ଉଠବସ କରାଇବା ସହ ଲକଡାଉନ ସମୟରେ ଘରୁ ନବାହରିବା ପାଇଁ ସଚେତନ କରିଥିଲା। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଉଲଂଘନ କରି ଝାରସୁଗୁଡ଼ାରେ ୧୨ଟି ଓ ବ୍ରଜରାଜନଗରରେ ୭ଟି ଏହିପରି ମୋଟ ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ୨୦ଜଣଙ୍କୁ ଗିରଫ କରାଯାଇଛି। କଟକଣା ଉଲଂଘନକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି।