ଅବକାରୀ ବିଭାଗ ଦ୍ୱାରା ୪୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ଗୋଟିଏ ଦିନରେ ମିଳିଛି ଦୁଇଟି ସଫଳତା। ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଠାରେ ମାଥିଲି ଅବକାରୀ ବିଭାଗ ଯାଞ୍ଚ କରିବା ସମୟରେ ବାଲିମେଳା ଠାରୁ ଭୁବନେଶ୍ୱରକୁ ଯାଉଥିବା ଓଡିଶୀ ବସରୁ ୧୨ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେଠାରୁ ତାଙ୍କୁ ବାଲିମେଳା ଅବକାରୀ ଷ୍ଟେସନକୁ ନିଆଯାଇଥିଲା।

ସେହିପରି ବାଲିମେଳା ଅବକାରୀ ବିଭାଗ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଜବାଗଡ଼ ଛକ ନିକଟରେ ଯାଞ୍ଚ କରୁଥିବା ସମୟରେ ଏକ ସ୍କୁଟି(ଓଡି-୩୦ବି-୫୮୩୭)ରୁ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏଥିସହ ସ୍କୁଟି ଚାଳକଙ୍କୁ ଗିରଫ କରାଯାଇ ମାଥିଲି ଅବକାରୀ ଷ୍ଟେସନକୁ ନିଆଯାଇଥିଲା। ଏଥିସହିତ ମାଲକାନଗିରି ଅବକାରୀ ବିଭାଗ ମୋଟ ୪୨ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୦ ହଜାର ହେବ ବୋଲି ସୂଚନା ମିଳିଛି। ଗିରଫ ୩ ଅଭିଯୁକ୍ତଙ୍କ ନାମ ହେଲା ସାଏବ ରାସପେଦା, ଆଲୋକ ଗୌଡ଼ ଏବଂ ମାଧବ ହରିଜନ। ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି।