୭୪ କେଜି ଗଞ୍ଜେଇ ଜବତ, ୨ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୁଲିସ ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ବିଜୁ ଏକ୍ସପ୍ରେସ ୱେ ନିଖିଳ ଢ଼ାବା ନିକଟରୁ ପୁଲିସ ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଥିବାବେଳେ ତାଙ୍କ ନିକଟରୁ ୭୪ କେଜି ଗଞ୍ଜେଇ, ଏକ ହୋଣ୍ଡା ସିଟି କାର ଓ ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଖଲିଆପାଲି ଗ୍ରାମର ଚିରଞ୍ଜିବି ନାୟକ(୩୪) ଓ ବୁଡ଼ିଧର ଗ୍ରାମର ପୁରନ୍ଦର ମାଝୀ (୩୭)। ମିଳିଥିବା ରିପୋର୍ଟ ମୁତାବକ, ଏହି ଅଭିଯୁକ୍ତମାନେ କୋରାପୁଟରୁ ଗଞ୍ଜେଇ କେଜି ପ୍ରତି ୨ ହଜାର ଟଙ୍କାରେ କିଣି ଆହ୍ଲାବାଦ, ବିଳାସପୁର, ନାଗପୁର, ରାଜସ୍ଥାନ ପରି ସ୍ଥାନରେ ୫ହଜାର ଟଙ୍କାରେ ବିକ୍ରି କରୁଥିଲେ। ତେବେ ଗତକାଲି ସେମାନେ ଝାରସୁଗୁଡ଼ା ଦେଇ ରାଜସ୍ଥାନ କୋଟାକୁ ଏହି ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିଖିଳ ଢାବା ନିକଟରେ ନାକାବନ୍ଦି କରି ଯାନବାହାନ ଯାଞ୍ଚ କରିଥିଲା। ଅଭିଯୁକ୍ତମାନେ ତାଙ୍କ ହୋଣ୍ଡା ସିଟି କାର(ସିଜି ୧୦ଏଫ ୩୧୧୧)ରେ ଏକ ସିକ୍ରେଟ ଚେମ୍ବର ତିଆରି କରି ୩ଟି ବ୍ୟାଗରେ ୭୪କେଜି ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ପୁଲିସ ଯାଞ୍ଚ କରି ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ରେଶମା ଟେଟେଙ୍କ ଉପସ୍ଥିତିରେ ଏହି ଗଞ୍ଜେଇକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ପୁଲିସ ଧରିବା ପାଇଁ ଅଧିକ ତଦନ୍ତ ଚଲାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।