୭୪ ଦାଦନ ଶ୍ରମିକ ଉଦ୍ଧାର : ୩ ସର୍ଦ୍ଦାର ଫେରାର

ବଲାଙ୍ଗିର, ଏନ୍ଏନ୍ଏସ୍: କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ଜିଆରପି ପୁଲିସ ମିଳିତ ଭାବେ ଚଢ଼ଉ କରି ବାଲାଙ୍ଗିର ଷ୍ଟେସନରୁ ୭୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥିମଧ୍ୟରୁ ୫୬ ଜଣ ପୁରୁଷ,୧୮ ଜଣ ମହିଳା ଓ ୧୩ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ କେତେକ ପୁରୁଷ ଦାଦନ ଶ୍ରମିକଙ୍କ ସହ ତିନି ଜଣ ଦାଦନ ସର୍ଦ୍ଦାର ପ୍ଲାଟ ଫର୍ମରୁ ଫେରାର ହୋଇଯାଇଥିଲେ । ସୂଚନା ଅନୁସାରେ, ଏଲଟିଟିଇ ଲୋକମାନ୍ୟ ତିଲକ–ବିଶାଖାପାଟଣା ସ୍ପେସାଲ ଟ୍ରେନରେ ରାତିରେ ଶ୍ରମିକମାନଙ୍କୁ ହାଇଦ୍ରାବ ଚାଲାଣ କରାଯାଉଥିଲା ।

ଚାଲାଣ କରୁଥିବା ୩ ସର୍ଦ୍ଦାର କଣ୍ଟାବାଞ୍ଜି ଆଶ୍ରମ ପଡାର ଯୁବନ ମାଝୀ, ରାଜୁ ଖାନ ଓ ରାଜା ଖାନ ବୋଲି କଣ୍ଟାବାଞ୍ଜି ଜିଆରପି କହିଥିବା ବେଳେ ରାତିରେ ହିଁ ସେମାନେ ଫେରାର ହୋଇଯାଇଥିଲେ। ଏହାପରେ ଜିଆରପି ପୁଲିସ କଣ୍ଟାବାଞ୍ଜି ଶ୍ରମ ଇନ୍ସପେକ୍ଟରଙ୍କୁ ରାତିରେ ଖବର ଦେଇଥିଲେ । ଜିଆରପି ପୁଲିସ ଶ୍ରମିକମାନଙ୍କୁ ରାତିରେ ଅଟକ ରଖି ବୁଧବାର ସକାଳୁ ଗ୍ରାମବାସୀ ଏବଂ ପରିବାର ବର୍ଗଙ୍କୁ ସ୍ଥାନୀୟ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝୀ, କଣ୍ଟାବାଞ୍ଜି ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ଉପସ୍ଥିତିରେ ଜିମା ଦେବା ସହ ସେମାନଙ୍କ ଗାଁକୁ ପଠାଇଥିଲେ । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ବେଲପଡ଼ା, ପାଟାଣାଗଡ଼, ଲୋଇସିଂହା, ଗୋଲାମୁଣ୍ଡା, ବଙ୍ଗୋମୁଣ୍ଡା, ସିନେ୍ଧକେଲା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।