ସଇଁନ୍ତଳା,ଏନ୍ଏନ୍ଏସ୍: ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ। ଡକାୟତି ପାଇଁ ଯୋଜନା କରିଥିବା ଆନ୍ତଃଜିଲ୍ଲାର ୭ଜଣ ସଦସ୍ୟଙ୍କୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟିଟିଲାଗଡ଼ ଥାନା ବାଛାଯୁଝା ଗ୍ରାମର ବୁଧୁ ପରଭୁଏ(୬୦), ସୁକୁନଭଟା ଗ୍ରାମର ହେମନ୍ତ ଚନ୍ଦନ (୪୦), ଶିଲୁଆଁ ଗ୍ରାମର ଦ୍ୱେ ମାଝୀ(୨୭), ଭାଟିପଡ଼ାର ଗୋବିନ୍ଦ ସିପକା(୨୫), ଟିଟିଲାଗଡ଼ ଠିକାଦାର ପଡ଼ାର ଚିନୁ ଓରଫ ଚିନ୍ମୟ ସାହୁ (୪୩), ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ଅଧୀନସ୍ଥ ମାନେଶ୍ୱର ଗ୍ରାମର ରବିନ୍ଦ୍ର ବିଭାର (୩୯) ଓ କନେକପୁର ଗ୍ରାମର ଅଭିମନ୍ୟୁ ସାଣ୍ଡ (୪୧) ପ୍ରମୁଖ ରହିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତି ସାଢ଼େ ୧୦ଟାରେ ଟିଟିଲାଗଡ଼ ପୁଲିସର ଏକ ଟିମ୍ ଟିଟିଲାଗଡ଼ ବ୍ଲକ ଶିହିନି ପଞ୍ଚାୟତ ଅଞ୍ଚଳରେ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ବଛାଯୁଝାରୁ ୧କିମି ଦୂରରେ ଥିବା ଏକ ଧାନ ଖଳାରେ ଗୋଟିଏ ବଲେରୋ ଗାଡ଼ି ସହ ୨ଜଣ ଛିଡ଼ା ହୋଇଥିବା ଦେଖି ପୁଲିସ ସନ୍ଦେହ କରି ପଚରାଉଚୁରା କରୁଥିଲା। ଏହି ସମୟରେ ଖଳାର ଅନ୍ୟପଟେ ବସିଥିବା ଆଉ ଜଣେ ଫେରାର ହେବାକୁ ଉଦ୍ୟମ କରିବାରୁ ପୁଲିସ ତା’ସହ ୭ଜଣକୁ କାବୁ କରିଥିଲା। ପରେ ଥାନାଧିକାରୀ ରଞ୍ଜନ ବରିହା ଓ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣାସ୍ଥଳରେ ପହଁଚିଥିଲେ। ଉପରୋକ୍ତ ୭ଜଣ ବଙ୍ଗୋମୁଣ୍ଡା ଥାନା ପଛପଟେ ରହିଥିବା ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଯୋଜନା କରିଥିବା ନେଇ ତଦନ୍ତ ବେଳେ ଜଣାପଡ଼ିଥିଲା। ଏହା ଜାଣି ପୁଲିସ ୭ଜଣକୁ ଟିଟିଲାଗଡ଼ ଥାନାକୁ ଆଣି ରାତି ସାଢ଼େ ୪ଟାରେ ଗିରଫ ଦର୍ଶାଇଥିଲା। ତେବେ ଗିରଫ ହୋଇଥିବା ଡ଼କାୟତଙ୍କଠାରୁ ପୁଲିସ ବିଭିନ୍ନ ମାରଣାସ୍ତ୍ର ସମେତ ଗୋଟିଏ ପିସ୍ତଲ, ୫ଟି ମୋବାଇଲ, ଘଟଣା ଘଟାଇବାକୁ ଥିବା ଘରର ରୋଡ ମ୍ୟାପ ଓ ଏକ ବୋଲେରୋ ଗାଡ଼ି ଜବତ କରିଛି।
ଅନ୍ୟପଟେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ହେମନ୍ତ ଚନ୍ଦନଙ୍କ ବିରୋଧରେ ଭବାନୀପାଟଣା, କେସିଙ୍ଗା, କେଗାଁ, ନର୍ଲା, ଗୋଲାମୁଣ୍ଡା ଓ ଖରିଆର ଥାନାରେ ୧୧ଟି ମାମଲା, ଚିନ୍ମୟ ସାହୁଙ୍କ ବିରୁଦ୍ଧରେ ଟିଟିଲାଗଡ଼, ପାଟଣାଗଡ଼, ଲରମ୍ଭା, ସମ୍ବାଦୋଲା ଆଦି ଥାନାରେ ୭ଟି ମାମଲା, ବୁଧୁ ପରାଭୁଏଙ୍କ ବିରୋଧରେ ଟିଟିଲାଗଡ଼, ଭବାନୀପାଟନା, ଏସ ରାମପୁର, ସମ୍ବଲପୁରର ଜମନକିରା ଓ କୁଚିଣ୍ଡା ଥାନାରେ ୧୪ଟି ମାମଲା ଓ ରବିନ୍ଦ୍ର ବିଭାରଙ୍କ ବିରୋଧରେ ବାଉଁସିନି ଓ ଜମନକିରା ଥାନାରେ ୨ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଓ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀଙ୍କ ତତ୍ତ୍ୱାବଧାନରେ ପୁଲିସ ଏସଆଇ ହେମକନ୍ତୀ ଛତରିଆ, ଏଏସଆଇ କାର୍ତ୍ତିକ ପ୍ରଧାନ, ହାବିଲଦାର ଚେତନ ବାଗ ଓ ଅରବିନ୍ଦ ଖମାରୀ, ସିପାହୀ ଏସ ଭୋଇ ଓ ଏପି ଫୋର୍ସର ପିତାମ୍ବର ପୁଝାରୀ, ମୀନକେତନ ପାଣ୍ଡେ, ରାଜକୁମାର ମାଝୀ, ରାବା ମୂତା ଓ ନରେଶ କହଁର ପ୍ରମୁଖ ଅଭିଯୁକ୍ତଙ୍କୁ ମିଳିତ ଭାବେ କାବୁ କରିଥିଲେ।