ବିଦେଶ ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ହୁ ହୁ ହୋଇ ବ୍ୟାପୁଥିବା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସରକାର ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି। ଚଳିତ ଜାନୁଆରୀ ୧୧ ଠାରୁ ସମସ୍ତ ଅନ୍ତଃରାଷ୍ଟ୍ରୀୟ ବିମାନଯାତ୍ରୀଙ୍କ ପାଇଁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଲାଗୁହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ସୂଚନା ଦେଇଛି। ଏଟ୍ ରିସ୍କ କଣ୍ଟ୍ରୀରୁ ଆସୁଥିବା ଯାତ୍ରୀମାନେ ନିଜ ଖର୍ଚ୍ଚରେ ହିଁ ବିମାନବନ୍ଦରରେ ନିଜର ପୋଷ୍ଟ କୋଭିଡ୍ ଆରାଇଭାଲ୍ ଟେଷ୍ଟ୍ କରିବେ। ଯାତ୍ରମାନଙ୍କୁ ପରବର୍ତ୍ତୀ କନେକ୍ଟିଭିଟି ବିମାନଯାତ୍ରା ପୂର୍ବରୁ କୋଭିଡ୍ ପରୀକ୍ଷାର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଏଟ୍ ରିସ୍କ କଣ୍ଟ୍ରୀରେ ୧୯ ଦେଶ ସାମିଲ୍ ଅଛନ୍ତି। ଏହି ଦେଶରୁ ଆସୁ୍‌ଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ନିୟମର ପାଳନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ ଏଟ୍ ରିସ୍କ ଦେଶ ମଧ୍ୟରେ ବ୍ରିଟେନ୍ ସମେତ ଅନ୍ୟ ସମସ୍ତ ୟୁରୋପୀୟ ଦେଶ, ଦକ୍ଷିଣଆଫ୍ରିକା, ବ୍ରାଜିଲ୍‌, ବୋସ୍ତାବାନା, ଚୀନ୍‌, ଘାନା, ମରିଶସ୍‌,ନ୍ୟୁଜିଲାଣ୍ଡ୍‌, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍‌, କାଙ୍ଗୋ, ଇଥିଓପିଆ, କଜାଖସ୍ତାନ, କେନ୍ୟା, ନାଇଜେରିଆ, ଟ୍ୟୁନିଶିଆ ଓ ଜାମ୍ବିଆ ସାମିଲ୍ ରହିଛି। ଏହି ଦେଶାଗତ ସମସ୍ତ ଯାତ୍ରୀଙ୍କୁ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ସହିତ ୮ମ ଦିନରେ ଆର୍‌-ଟିପିସିଆର୍ ଟେଷ୍ଟ କରିବାକୁ ହେବ। ଏହାର ରିପୋର୍ଟ ଏୟାର୍ ସୁବିଧା ପୋର୍ଟାଲ୍‌ରେ ଅପ୍‌ଲୋଡ୍ କରିବାକୁ ହେବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ସେମାନଙ୍କ ଉପରେ ପରବର୍ତ୍ତୀ ୭ ଦିନ ସ୍ୱାସ୍ଥ୍ୟ ବିଭାଗ ନଜର ରଖିବ। ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କ ସାମ୍ପଲ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯିବ।