ରେଳ ଷ୍ଟେସନ ଅଟୋଷ୍ଟାଣ୍ଡରୁ ୬୬ କେଜି ଗଞ୍ଜେଇ ଜବତ, ଜଣେ ନାବାଳକ ସହ ୩ ଗିରଫ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସ ରେଳ ଷ୍ଟେସନ ଅଟୋଷ୍ଟାଣ୍ଡରୁ ୬୬ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହାସହ ଜଣେ ନାବାଳକ ସହ ୩ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରେଦେଶର ମୋହବା ଥାନା ଅନ୍ତର୍ଗତ କାରାହାରାକାଲା ଗ୍ରାମର ଜିତେନ୍ଦ୍ର କୁମାର(୨୬), ମଧ୍ୟପ୍ରଦେଶର ଯେତପୁର ଥାନା ଅନ୍ତର୍ଗତ ମାଝୋଲି ଗ୍ରାମର ଛୋଟେଲାଲ ବାଇଗା(୨୨) ଓ ନାବାଳକ ଜଣକ ଋଷବ ପଟେଲ(୧୬) । ମିଳିଥିବା ରିପୋର୍ଟ ମୁତାବକ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ଉଦ୍ୟମ ହେଉଥିବା ନେଇ ମୁନିଗୁଡ଼ା ଏସଡିପିଓ ଆକାଶ ଚନ୍ଦ୍ର ସାହୁ ବିଶେଷ ସୂତ୍ରରୁ ଖବର ପାଇଥିଲେ । ପରେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗଠନ କରି ସେଥିରେ ଏସଆଇ ସାଗର ପ୍ରସାଦ ନାୟକ, କନେଷ୍ଟବଳ ଏସ କେ ଶର୍ମା, ଏସ କଣ୍ଡାଗିରି, ଆନନ୍ଦ ମେଲେକା ଓ ଡ୍ରାଇଭର ସୁଜିତ କିଷାନ ପ୍ରମୁଖଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ମୁନିଗୁଡ଼ା ରେଳବାଇ ପୁଲିସ ଆରପିଏଫ ଏସଆଇ କେ. ସ୍ୱୟଂମ ପ୍ରକାଶ ଓ କନେଷ୍ଟବଳ ବି. ପ୍ରବୀନ କୁମାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହାୟତାରେ ରେଳବାଇ ଷ୍ଟେସନ ଅଟୋ ଷ୍ଟାଣ୍ଡ ନିକଟରୁ ୭ଟି ବ୍ୟାଗ ଜବତ କରିଥିଲେ । ଆଉ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଏମାନେ ଗଞ୍ଜେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ଚୋରା ଚାଲାଣ କରୁଥିବା ସ୍ୱୀକାର କରିଥିଲେ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୫ ହଜାର ଟଙ୍କା ହେବ । ଏନେଇ ମୁନିଗୁଡା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।