ପିଏମଏଜିୱାଇରେ ୬୦ ଲକ୍ଷ ଟଙ୍କାର କାର୍ଯ୍ୟ ଖସଡା ଅନୁମୋଦିତ

କୋରାପୁଟ,ଏନ୍ଏନ୍ଏସ୍ : ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋଟ ଲୋକସଂଖ୍ୟାର ୫୦ ପ୍ରତିଶତ ଦଳିତ ଜାତିର ଲୋକ ଥିବା ଗ୍ରାମ ମାନଙ୍କରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶାବଳୀ ରହିଛି। ଜିଲ୍ଲାର ନନ୍ଦପୁର, ବୈପାରୀଗୁଡା, ଜୟପୁର, କୋରାପୁଟ ଓ ଲକ୍ଷ୍ମୀପୁର ଇତ୍ୟାଦି ୫ଟି ବ୍ଲକର ନନ୍ଦପୁର , କେନ୍ଦୁଗୁଡା , ପେଣ୍ଡାପଦା, ବାଲିଆ , ମାନବାର ଏବଂ ପିପଲପଦର ଭଳି ୭ ଟି ପଞ୍ଚାୟତକୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ନନ୍ଦପୁର ପଞ୍ଚାୟତର ବାହିରିପରା, କେନ୍ଦୁଗୁଡା ପଞ୍ଚାୟତର ଭାଲୁଗୁଡା, ପେଣ୍ଡାପଦା ପଞ୍ଚାୟତର ବୋଡପଦା , ବାଲିଆ ପଞ୍ଚାୟତର ପୋଲକାପୁଟ, ବୋଡୋଉଜେଇ , ମାନବାର ପଞ୍ଚାୟତର ଝଡିଗୁଡା ଓ ପିପଲପଦର ପଞ୍ଚାୟତର ଲୁଲୁପଦର ଗ୍ରାମଗୁଡିକ ଯୋଜନାରେ ସାମିଲ୍ କରା ଯାଇଥିବା ଜଣା ପଡିଛି।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପରିଚାଳନା କରିଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜୟପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ଜୟପୁର ବିଡିଓ ସରୋଜ କୁମାର ପଟ୍ଟନାୟକ , ଲକ୍ଷ୍ମୀପୁର ବିଡିଓ ଦିଲ୍ଲୀପ କୁମାର ପଟ୍ଟନାୟକ , ନନ୍ଦପୁର ବିଡିଓ କୈଳାସ ଚନ୍ଦ୍ର ସିଆଲ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲଲିତ କୁମାର ଶବର ଉପସ୍ଥିତ ଥିଲେ। ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ୬୦ ଲକ୍ଷ ଟଙ୍କାର କାର୍ଯ୍ୟ ଖସଡା ଅନୁମୋଦିତ କରାଯାଇଥିବା ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ସୂଚନା ଦେଇଛନ୍ତି। କାର୍ଯ୍ୟ ଖସଡାରେ ପାର୍କ , ଖେଳ ପଡିଆ , ଡ୍ରେନେଜ ,ପୋଖରୀ, ଷ୍ଟ୍ରୀଟଲାଇଟ ବ୍ୟବସ୍ଥା କରା ଯିବାକୁ ରହିଥିବା ଜଣାପଡିଛି।