ରାଇଘର,ଏନ୍ଏନ୍ଏସ୍: ବାଘ ଆକ୍ରମଣର ଶିକାର ହୋଇ ୬ ବର୍ଷ ବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛତିଶଗଡ଼ର ନରେନ୍ଦ୍ର ମାର୍କମଙ୍କ ସାନ ପୁଅ ଅବିନାଶ ମାର୍କମ। ମିଳିଥିବା ରିପୋର୍ଟ ମୁତାବକ, ଛତିଶଗଡ଼ର ସିହୱା ଶୀତଳ ମନ୍ଦିର ଯାଉଥିବାବେଳେ ସନ୍ଧ୍ୟା ସମୟରେ ଏକ ଚିତା ବାଘ ହଠାତ୍ ବାହାରିଥିଲା। ବାଘକୁ ଦେଖି ସମସ୍ତେ ଦୌଡ଼ିବା ସମୟରେ ଅବିନାଶକୁ ବାଘ ଆକ୍ରମଣ କରିବା ସହ ତାକୁ ଧରିନେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସର୍ଚ୍ଚ ଅପରେସନ୍ ଜୋରଦାର କରିଥିଲା। ଶେଷରେ ଜଙ୍ଗଲ ମଧ୍ୟରେ ଅବିନାଶର ମୃତଦେହ ମିଳିଥିଲା । ବନ ବିଭାଗ ଅବିନାଶକୁ ଉଦ୍ଧାର କରିବା ପରେ ସିହୱା ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବନ ବିଭାଗ ଉକ୍ତ ପରିବାରକୁ ୩୫ ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣା ଉକ୍ତ ଅଂଚଳରେ ଦ୍ୱିତୀୟ ଥର ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।