ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି ୬ ଜଣ ଆଦିବାସୀ ଶ୍ରମିକ: ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ

ମାଲକାନଗିରି,ଏନ୍ଏନ୍ଏସ୍: ପୁଣି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଫସିଛନ୍ତି ଆଦିବାସୀ ଶ୍ରମିକ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ୬ ଜଣ ଆଦିବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶରେ ନିର୍ଯାତିତ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି। ଏକ ଭିଡିିଓ ଜରିଆରେ ସରକାର କିମ୍ବା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି। ଏପରିକି କମ୍ପାନୀର ମାଲିକ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

କାଲିମେଳା ବ୍ଲକର ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସରେଲଗୁଡା ଗ୍ରାମର ଆଡମା କବାସୀ, କଷା କବାସି, ଶିଙ୍ଗା ମାଡକାମି, କଷା ମାଡ଼କାମି, ଦୁଲା ସୋଢି ଓ ମୁନା କର୍ତାମୀ ନାମକ ୬ ଜଣ ଆଦିବାସୀ ଯୁବକ ଗତ ୫ ମାସ ତଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପେଦାପାଡ ଅଞ୍ଚଳରେ ଥିବା ଶଙ୍କର ବୋରୱେଲ ନାମକ ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଏହି ଆଦିବାସୀ ଯୁବକମାନେ ସେଠାରେ କାମ କରି ଆସୁଥିଲେ ମଧ୍ୟ ମାଲିକ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କାଟିଏ ଦେଇ ନଥିବାର ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏପରିକି ଖାଇବାକୁ ମଧ୍ୟ ଠିକ ଭାବେ ଦିଆଯାଉନି। ଦରମା ବାବଦକୁ ମାସକୁ ୧୦ ହଜାର ଟଙ୍କା ଦେବା ପାଇଁ କଥା ହୋଇଥିଲା। ପ୍ରାପ୍ୟ ଟଙ୍କା ମାଗିବାରୁ କମ୍ପାନୀ ମାଲିକ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ଶ୍ରମିକମାନେ ରହୁଥିବା ଘରକୁ ମାଲିକ ଜଣେ ଯୁବକକୁ ପଠାଇ ଠେଙ୍ଗାରେ ମାରିବାକୁ ଧମକ ଦେଉଥିବାର ଏକ ଭିଡିଓରୁ ଜଣାପଡିଛି। ଶ୍ରମିକମାନେ ୧୨ ତାରିଖରୁ ଆଉ କାମକୁ ନଯାଇ ବାକି ଥିବା ୩ ଲକ୍ଷ ଟଙ୍କା ପାଇଁ ଦାବି କରିଛନ୍ତି। ସେହିପରି କମ୍ପାନୀ ମାଲିକ ପ୍ରାପ୍ୟ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଶ୍ରମିକମାନେ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।