ମୁମ୍ବାଇରେ ନକଲି ଭ୍ୟାକ୍ସିନ ରାକେଟ ଠାବ, ୫ ଗିରଫ

ମୁମ୍ବାଇ: ମୁମ୍ବାଇର କାନ୍ଧିବାଲୀ ଅଞ୍ଚଳରେ ହାଇପ୍ରୋଫାଇଲ ହୀରାନନ୍ଦାନୀ ହେରିଟେଜରେ ଚାଲିଥିବା ନକଲି ଭ୍ୟାକ୍ସିନ ରାକେଟ ଉପରୁ ପରଦା ଉଠିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ହୀରାନନ୍ଦାନୀ ହେରିଟେଜରେ ମେ’ ୩୦ ତାରିଖରେ ଭ୍ୟାକ୍ସିନ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିପାଇଁ ସୋସାଇଟିର ମ୍ୟାନେଜମେଣ୍ଟ ଏକ ନାମୀ ହସ୍ପିଟାଲର ମହେନ୍ଦ୍ର ସିଂ ନାମକ ପିଆରଓ ସହ ସମ୍ପର୍କ କରିଥିଲେ। ସଞ୍ଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତି ସହ ମିଶି ମହେନ୍ଦ୍ର ହିରନନ୍ଦାନୀ ହେରିଟେଜ ସୋସାଇଟିରେ ଟିକାକରଣ କରିଥିଲେ। ଏଥିସହିତ ଭ୍ୟାକ୍ସିନ ଲାଗିବାର ୪-୫ ଦିନ ପରେ ସାର୍ଟିଫିକେଟ ମିଳିବା କଥା ଲୋକଙ୍କୁ କହିଥିଲେ। କିନ୍ତୁ ସାର୍ଟିଫିକେଟ ମିଳିବା ପରେ ସେଥିରେ ସମୟ ଓ ତାରିଖ ଭୁଲ୍ ଥିଲା। ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ମୁମ୍ବାଇ ପୁଲିସ ମୁତାବକ, ଏହି ସଂସ୍ଥା ଏବେ ସୁଦ୍ଧା ୯ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରି ପାଖାପାଖି ୪ରୁ ୫ ହଜାର ଲୋକଙ୍କୁ ଭ୍ୟାକ୍ସିନ ଲଗାଇଛି। ଏହି ର୍ୟାକେଟର ମାଷ୍ଟରମାଇଣ୍ଡ ହେଉଛି ମହେନ୍ଦ୍ର ସିଂହ ଯିଏକି ଦଶମ ଫେଲ୍। କିନ୍ତୁ ୧୭ ବର୍ଷ ହେବ ମେଡିକାଲ କ୍ଷେତ୍ରରେ କାମ କରି ମୁମ୍ବାଇର ଅନେକ ନାମୀ ହସ୍ପିଟାଲ ଓ ଡାକ୍ତରଙ୍କ ସମ୍ପର୍କରେ ରହିଥିଲା।