ଦୁଇ ଶିଶୁ ସମେତ ଜିଲ୍ଲାରେ ପୁଣି ୬ କରୋନା ପଜିିଟିଭ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ଦୁଇ ଶିଶୁ ସହ ୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜୟପୁର ପୌରପରିଷଦ ୨୫ ନଂ ୱାର୍ଡର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ଗର୍ଭବତୀ ମହିଳା, ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡାର ପ୍ରାଥମିକ ବିଦ୍ୟାଳୟର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ୨ଶିଶୁ ଓ ସେମାନଙ୍କ ମା’ଙ୍କ ସହ ଅନ୍ୟ ୨ଜଣ ଯୁବକ ରହିଛନ୍ତି। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଚିହ୍ନଟ ଜୟପୁରର ମହିଳା ଜଣକ ମୁମ୍ବାଇ ଫେରନ୍ତା ହୋଇଥିବାବେଳେ ଆଲମଣ୍ଡାର ସମସ୍ତେ ଆନ୍ଧ୍ର ଓ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। କରୋନା ଚିହ୍ନଟ ହୋଇଥିବା ସମ୍ପୃକ୍ତ ଅଂଚଳକୁ ଆଜିଠାରୁ ୧୧ ତାରିଖ ସଂନ୍ଧ୍ୟା ୬ଟା ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ନିକଟସ୍ଥ ଗ୍ରାମ, ବସ୍ତି ଓ ପୋଡାକୁ ବଫୋର୍ ଜୋନ୍ ଘୋଷଣା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟସଂଖ୍ୟା ୧୪ରେ ପହଂଚିଛି। ଏଥି ସହିତ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।