ଭିଜିଲାନ୍ସ ଜାଲରେ ମାଲକାନଗିରି ଆଇସିଡିଏସ ସୁପରଭାଇଜର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସମନ୍ୱିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଗୀତାଞ୍ଜଳୀ ସ୍ୱାଇଁ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ୩ଟି ଅଙ୍ଗନବାଡ଼ି କେନ୍ଦ୍ରର ଶାଢ଼ୀ ଓ ରନ୍ଧନ ଖାଦ୍ୟ ବାବଦରେ ୧ ଲକ୍ଷ ୮ ହଜାର ଟଙ୍କା ବିଲ ପାସ ବାବଦରେ ଶ୍ରୀମତୀ ସ୍ୱାଇଁ ଲାଂଚ ମାଗିଥିଲେ। ଏସମ୍ପର୍କରେ କାଣ୍ଡିକିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଦୁର୍ନିତି ନିବାରଣ ବିଭାଗକୁ ଜଣାଇଥିଲେ। ପରେ ଜୟପୁର ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜୟପୁର ଡିଏସପି କେ କେ ପାତ୍ର, ଜୟପୁର ଇନ୍ସପେକ୍ଟର ଏସ ଆର ସାହୁ, ଇନ୍ସପେକ୍ଟର ଆର ଡି ନାୟକ, ଇନ୍ସପେକ୍ଟର ଏସ କେ ଟାକ୍ରି, ଇନ୍ସପେକ୍ଟର ବି ଏସ ପୂଜାରୀ, ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ଇନ୍ସପେକ୍ଟର ଆର ବିଜୟ କୁମାର ଓ କର୍ମଚାରୀମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସଦଳବଳେ କାଣ୍ଡିକିଗୁଡ଼ା ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ନାୟକ ସୁପରଭାଇଜର ଶ୍ରୀମତି ସ୍ୱାଇଁଙ୍କୁ ୪ହଜାର ୫୦୦ ଟଙ୍କା ଲାଂଚ ଦେବା ବେଳେ କାବୁ କରିଥିଲେ। ପରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ସ୍ଥାନୀୟ ରକ୍ତ ଭଣ୍ଡାର ପରିସରରେ ଥିବା ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କିଛି ୫ ଶହ ଟଙ୍କିଆ, ୨ ଶହ ଟଙ୍କିଆ, ଶହେ ଟଙ୍କିଆ ନୋଟ, କ୍ୟାମେରା, ଏଟିଏମ କାର୍ଡ ଜବତ କରିବା ସହ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ଆକଳନ କରିଛନ୍ତି। ଶ୍ରୀମତି ସ୍ୱାଇଁଙ୍କୁ ଗିରଫ କରି ଜୟପୁର ଦୁର୍ନିତି ନିବାରଣ କାର୍ଯ୍ୟାଳୟକୁ ନିଆଯାଇଛି। ଲାଂଚ ନେବା ବେଳେ ଦୁର୍ନୀତି ନିବାରଣ ବିଭାଗ କାବୁ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ଏକ ଦଳ ତାଙ୍କ ସରକାରୀ ବାସଭବନରେ ଚଢ଼ଉ ଜାରୀ ରଖିଛନ୍ତି ବୋଲି ଭିଜିଲାନ୍ସ ଡିଏସପି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।