ପ୍ରବଳ ଶୀତରେ କେଦାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ, ଆଜିଠୁ ୬ ମାସ ରହିବ ବନ୍ଦ

ଡେରାଡୁନ,ଏଜେନ୍ସି: ଆଜି ସନ୍ଧ୍ୟାରୁ ୬ ମାସ ପର୍ଯ୍ୟନ୍ତ କେଦାରନାଥ ଧାମ ବନ୍ଦ ରହିବ। ଏନେଇ ପ୍ରବଳ ଶୀତ ମଧ୍ୟରେ ଭଗବାନ କେଦାରନାଥଙ୍କୁ ଭକ୍ତମାନେ ଦର୍ଶନ କରିଛନ୍ତି। ଆଜି ସନ୍ଧ୍ୟା ପୂର୍ବରୁ କେଦାରନାଥଙ୍କ କବାଟ ୬ ମାସ ପାଇଁ ବନ୍ଦ ହୋଇଯିବ।

ଚଳିତ ବର୍ଷ କରୋନା କଟକଣା ଭିତରେ ଭଗବାନ କେଦାରନାଥଙ୍କ ପବିତ୍ର ସ୍ଥଳକୁ ଖୋଲାଯାଇଥିଲା। ଆରମ୍ଭରୁ ଭକ୍ତଙ୍କ ପ୍ରବେଶକୁ କଟକଣା କରାଯାଇଥିଲା। ଉତ୍ତରାଖଣ୍ଡରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରି ପୀଠକୁ ଦର୍ଶନ କରିବାକୁ ଯାଇଥିଲେ।

ତେବେ ୬ ମାସ ପର୍ଯ୍ୟନ୍ତ କେଦାରନାଥ ଧାମ ବନ୍ଦ ହେବାକୁ ଯାଉଥିବାରୁ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଦାରନାଥ ଧାମ ପହଞ୍ଚିଥିଲେ। ବାବାଙ୍କ ଦର୍ଶନ ପରେ ଯୋଗୀ କହିଥିଲେ, କେଦାରନାଥଙ୍କ ଆଦେଶରେ ଏଠାକୁ ଆସିଛି। ଆଜି ଆମେ କେଦାରନାଥଙ୍କୁ ଦର୍ଶନ କରିଛୁ। ପାଖାପାଖି ୧୧ରୁ ୧୨ ବର୍ଷ ପରେ କେଦାରନାଥଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା। କିନ୍ତୁ ଏଠାକୁ ଆସିବା ପାଇଁ ବହୁ ଦିନରୁ ଭାବିଥିଲି। ଯୋଗୀ କହିଛନ୍ତି, ଦୀପାବଳି ଅବସରରେ କେଦାରନାଥ ପହଞ୍ଚିପାରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ୨ ଦିନ ପୂର୍ବରୁ ରାଜ୍ୟ ସରକାର କେଦାରନାଥ ବନ୍ଦ ହେବା ନେଇ ସୂଚନା ଦେଇଥିଲେ। ସେ କହିଛନ୍ତି, କେଦାରନାଥଙ୍କ ପୌରାଣିକ ମହତ୍ୱକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଝିଛନ୍ତି। ଏଠାକାର ବିକାଶ ପାଇଁ ସେ ଅନେକ ଚିନ୍ତା କରିଛନ୍ତି ବୋଲି କହିଛନ୍ତି।