୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ପୁଲିସ ଏକ କାରରୁ ୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାର ପାଟଣା ଅଞ୍ଚଳର ଗୁଡୁ କୁମାର(୨୮)। ମିଳିଥିବା ରିପୋର୍ଟ ମୁତାବକ, ମାଛକୁଣ୍ଡ ଥାନା ସିନ୍ଧିପୁଟ ଅଞ୍ଚଳରୁ ବିହାରକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏସପି ବରୁଣ ଗୁଂଟୁପାଲ୍ଲିଙ୍କୁ ସୂଚନା ମିଳିଥିଲା। ପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓ, ମାଛକୁଣ୍ଡ ଥାନା ଏଏସଆଇ ମନୋଜ ନାୟକ ଓ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ବଡକିଚବ୍ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏକ ମାରୁତି କାରକୁ ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ଗଞ୍ଜେଇ ମିଳିଥିଲା। ପୁଲିସ୍ କାରରୁ ୧୫୩ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି।