ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଲଖନପୁର ବ୍ଲକ ଗସ୍ତ କରି ଅଢ଼ାପଡ଼ା ଏବଂ କୁମ୍ଭାରବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟାର ତଦାରଖ କରିଛନ୍ତି। ଟିକା ନେବା ପାଇଁ ଆସୁଥିବା ସମସ୍ତଙ୍କୁ କିପରି ସୁରୁଖୁରୁରେ ଟିକା ପ୍ରଦାନ କରାଯାଇପାରିବ ସେନେଇ ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହ କରୋନା ମହାମାରୀକୁ ପ୍ରତିହତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଂସଦ ଶ୍ରୀ ପୂଜାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଟିକା ନେବା ପାଇଁ ଆସିଥିବା ବ୍ୟକ୍ତିଙ୍କ ସହ ଆଲଚନା କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ସେହିପରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରମ୍ପେଲା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ସେହିପରି ସାଂସଦଙ୍କ ତତ୍ୱାବଧାନରେ ବିଜେପି ସଦସ୍ୟମାନେ ଅଢ଼ାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର, କୁମ୍ଭାରବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ରମ୍ପେଲା ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କରିଛନ୍ତି।