ସେପ୍ଟେମ୍ବରରେ ଭାରତରେ ପ୍ରବେଶ କରିବ ୫ଜି ନେଟୱର୍କ !

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ମୁଖ୍ୟ ଟେଲିକମ ଅପରେଟର ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଦେଶରେ ୫ଜି ନେଟୱର୍କ ଉପରେ ଲଗାତାର ଭାବେ କାମ କରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବାସୀଙ୍କୁ ଏହି ସେବା ଯୋଗାଇ ଦେବା ଲାଗି ଉଦ୍ୟମ ଜାରି ଥିବା ପୂର୍ବରୁ କହିଛନ୍ତି ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏକ ରିପୋର୍ଟ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡିଆ ମୋବାଇଲ କଂଗ୍ରେସ (IMC)ରେ ୫ଜି ନେଟୱର୍କ ଲଞ୍ଚ କରିବେ । ଏହାପରେ ଆସନ୍ତା ମାସରେ ଭାରତରେ ୫ଜି ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାରତର ସରକାର ବିଧିବଦ୍ଧ ଭାବେ ୫ଜି ନେଟୱର୍କର ଲଞ୍ଚ ତାରିଖ ଘୋଷଣା କରିନାହାନ୍ତି । ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ ଅକ୍ଟୋବର ମଧ୍ୟରେ ଏହା ଯେକୌଣସି ସମୟରେ ଲଞ୍ଚ ହେବ । ନିକଟରେ ଭାରତ ସରକାର ୫ଜି ସ୍ପେକ୍ଟ୍ରମର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏହାର ଅନୁମୋଦିତ ପ୍ରକ୍ରିୟା ଜାରି ରହିଛି । ୫ଜି ନିଲାମର ମୂଲ୍ୟ ଦେଢ ଲକ୍ଷ କୋଟି ରହିଥିଲା । ଏହି ନିଲାମ ପ୍ରକ୍ରିୟାରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ମଧ୍ୟ ଯୋଗଦେଇଥିଲେ ।

ସେପଟେ ଭାରତୀ ଏୟାରଟେଲ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ୫ଜି ନେଟୱର୍କ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏଥିଲାଗି ଟେକ୍‌ କମ୍ପାନୀ ସାମସଙ୍ଗ୍‌, ନୋକିଆ ସହିତ ସହଭାଗିତା ନେଇ ଘୋଷଣା କରିଛି । ଅନ୍ୟ କିଛି ରିପୋର୍ଟ ଅନୁସାରେ ରିଲାଏନ୍ସ ମଧ୍ୟ ଦେଶ ୭୫ବର୍ଷ ତମ ସ୍ବାଧୀନତା ଦିବସ ଦିନ ଏହି ସେବା ଆରମ୍ଭ କରିବ ବୋଲି କୁହାଯାଉଛି । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ୫ଜି ନେଟୱର୍କର ଦର ପ୍ରତିଯୋଗିତାମୂଳକ ରହିଛି । ୪ଜି ପ୍ଲାନ ପରି ୫ଜି’ର ମଧ୍ୟ ସମାନ ପ୍ଲାନ ରହିବ ବୋଲି ଆଶା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ୫ଜି ନେଟୱର୍କକୁ ଦେଶର ୧୩ଟି ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।