ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ ପ୍ରତିପକ୍ଷ ଡିମିଟ୍ରୋ କୁଲେବାଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୟୁକ୍ରେନର ଲାଗି ରହିଥିବା ସଙ୍କଟ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ଉପରେ ଉଭୟ ନେତା ଟେଲିଫୋନ୍‌ରେ ଆଲୋଚନା କରିଛନ୍ତି । ଆଜି ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ସେହିପରି ଯୁଦ୍ଧ ଆରମ୍ଭରୁ ଉଭୟ ଋଷ ଓ ୟୁକ୍ରେନକୁ ହିଂସା ଛାଡି କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାର କରିବା ପାଇଁ ପରାମର୍ଶ ଦେଇଆସିଛି ଭାରତ । ବିଶ୍ବ ସମୁଦାୟ ପକ୍ଷଭୁକ୍ତ ହୋଇ ନିଜ ଆଭିମୁଖ୍ୟ ରଖିଥିବାବେଳେ, ଭାରତ କିନ୍ତୁ ଭାରସାମ୍ୟ ରକ୍ଷା କରି ନିରପେକ୍ଷ ଭାବେ ନିଜର ଅହିଂସା ଓ କୂଟନୈତିକ ସ୍ତରରେ ସମାଧାନ କରିବା ଆଭିମୁଖ୍ୟ ରଖିଥିଲା ।

ଯୁଦ୍ଧ ଆରମ୍ଭର ପ୍ରାରମ୍ଭରୁ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ମଧ୍ୟ ଯୋଗାଇବା ଜାରି ରଖିଛି ଏକାଧିକ ପର୍ଯ୍ୟାୟରେ ଚିକିତ୍ସା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀକୁ ନେଇ ଭାରତ ଏକାଧିକ ସହାୟତା ପ୍ୟାକେଜର ସିପମେଟ ୟୁକ୍ରେନକୁ ପଠାଇ ସାରିଛି । ଆଗକୁ ମଧ୍ୟ ଏହି ସହାୟତା ପ୍ରକ୍ରିୟା ରହିବା ନେଇ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ ଆଶ୍ବାସନା ଦେଇଛନ୍ତି ।