ଧାନବୋଝେଇ ଟ୍ରକକୁ ୫୮ହଜାର ଫାଇନ୍

ତିହିଡ଼ି,ଏନ୍ଏନ୍ଏସ୍: ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନବୋଝେଇ କରି ଯାଉଥିବା ଏକ ୧୨ ଚକିଆ ଟ୍ରକକୁ ପରିବହନ ବିଭାଗ ପକ୍ଷରୁ ୫୮ହଜାର ୪୦ଟଙ୍କା ଜୋରିମାନା କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ରାତିରେ ସମବାୟ ସମିତିରୁ ୨ଶହ ବସ୍ତା ଧାନ ବୋଝେଇ କରି ଏକ ଟ୍ରକ (ନଂ ଏମଏଚ ୧୬ସିସି ୭୪୭୪) ସମ୍ବଲପୁର ସ୍ଥିତ ଭେଙ୍କେଟେଶ୍ୱର ରାଇସ ମିଲକୁ ଯାଉଥିଲା। ତିହିଡ଼ି ଗ୍ରାମ ନିକଟରେ ଜନୈକ ଯୁବକ ଏହି ଗାଡ଼ିକୁ ଅଟକାଇଥିଲେ। ଖବର ପାଇ ପୁଲିସ ସମ୍ପୃକ୍ତ ଯୁବକ ଓ ଧାନ ବୋଝେଇ ଟ୍ରକଟିକୁ ଥାନାକୁ ନେଇ ଆସିଥିଲା।

ପରେ ସମବାୟ ସମିତି ସମ୍ପାଦକ ଗୀତାଞ୍ଜଳି ଦାସ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ ଯେ ଯୁବକ ଜଣକ ଟ୍ରକ ଡ୍ରାଇଭରକୁ ଚାନ୍ଦା ମାଗୁଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ଏକ ମୋକଦ୍ଦମା (ନଂ ୨୪/୨୦) ରୁଜୁ କରି ଯୁବକଙ୍କୁ ଗିରଫ କରିଥିଲା। ପରେ ପୁଲିସ ସନ୍ଦେହରେ ଟ୍ରକକୁ ଅଟକ ରଖି ଗାଡ଼ିର କାଗଜପତ୍ର ଯାଞ୍ଚ୍ ପାଇଁ ପରିବହନ ବିଭାଗକୁ ଖବର ଦେଇଥିଲା। ପରିବହନ ବିଭାଗ ପକ୍ଷରୁ ପରିବହନ ବିଭା ଗୁରୁବାର ତିହିଡ଼ିରେ ପହଞ୍ଚ ଗାଡ଼ିର ଓଜନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷ ଯାଞ୍ଚ କରିବା ପରେ ଜୋରିମାନା କରିଛନ୍ତି।

ସମ୍ପୃକ୍ତ ଗାଡ଼ିରେ ୩୭୭୦ କିଲୋଗ୍ରାମ ଅଧିକ ମାଲ ବୋଝେଇ ହୋଇଥିଲା। ସାଧାରଣ ଅବମାନନା ବାବଦକୁ ୫ ଶହ ଟଙ୍କା, ଓଭରଲୋଡ଼ିଂ ବାବଦକୁ ୨୭ ହଜାର ୫୪୦ ଟଙ୍କା, ଡ୍ରାଇଭରର ସଠିକ ଲାଇସେନ୍ସ ନଥିବା ବାବଦରେ ୫ ହଜାର ଟଙ୍କା, ବାୟୁ ଏବଂ ଶବ୍ଦ ପ୍ରଦୂଷଣ ବାବଦକୁ ୧୦ ହଜାର ଟଙ୍କା ଓ ପରମିଟ କଣ୍ଡିସନ ଉଲଂଘନ ବାବଦକୁ ୧୦ ହଜାର ଟଙ୍କା ଏହିପରି ମୋଟ ୫୮ ହଜାର ୪୦ ଟଙ୍କାର ଚାଲାଣ କଟାଯାଇଛି। ସମ୍ପୃକ୍ତ ଗାଡ଼ିଟି ଥାନାରେ ରହିଛି ଓ ଏହି ଅର୍ଥ ଜମାକରାଯିବା ପରେ ଗାଡ଼ିକୁ ଛାଡ଼ିଦିଆଯିବ ବୋଲି ସୂଚନା ମିଳିଛି।