ହାତୀ ଆକ୍ରମଣରେ ୨ ମୃତ: କାଲି କୋରେଇରେ ସବୁ ସ୍କୁଲ ବନ୍ଦ

କୋରେଇ,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଗୋଡ଼ିପାଟଣା ଗ୍ରାମରେ ଆଜି ସଂନ୍ଧ୍ୟାରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଈଶ୍ୱର ଦାଶ (୬୦) ଓ ଚିନ୍ତାମଣି ରାମ୍ (୫୭) । ସେହିପରି ଗୁରୁତର ଦ୍ୱୟ ହେଲେ ପଦ୍ମଲାଭ ଗୁରୁ (୫୫), ସତ୍ୟାନନ୍ଦ ପାଢ଼ୀ (୬୨) । ଗୁରୁତର ଦ୍ୱୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ଦନ୍ତା ହାତୀଟି ଗତ ଦୁଇ ଦିନ ହେବ କୋରେଇ ବ୍ଲକ୍ ଅଂଚଳରେ କ୍ଷେତରେ ପଶି ଦଳଚକଟି ବ୍ୟାପକ ଫସଲ ନଷ୍ଟ କରିବା ସହ ଗାଁରେ ପଶି ଆତଙ୍କରାଜ ଚଳାଇଛି । ଘଟଣା ପରେ ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡ଼ାଇବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ହାତୀଟିକୁ ଠାବ କରିବା ସହ ତାକୁ ଜନବସତି ଠାରୁ ଦୂରକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରୀ ରଖିଛି ।

ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦନ୍ତା ହାତୀଟି ପଡ଼ୋଶୀ ଜିଲ୍ଲା କେନ୍ଦୁଝର ହରିଚନ୍ଦନପୁର ଜଙ୍ଗଲରୁ ହାତୀପଲରୁ ଅଲଗା ହୋଇ ଚାଲି ଆସିଥିବା ଅନୁମାନ କରାଯାଉଛି । ରାତି ପ୍ରାୟ ୮ଟା ଶେଷ ଖବର ସୁଦ୍ଧା ହାତୀଟି ବର୍ତମାନ ଜହ୍ନା ଓ ଧନେଶ୍ୱର ପଂଚାୟତରେ ଆତଙ୍କ ସୃଷ୍ଟି କରିଛି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରୀ ରହିଛି । ଅନ୍ୟପକ୍ଷରେ ଘଟଣାକୁ ନେଇ ସମ୍ପୃକ୍ତ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।