ରାଷ୍ଟ୍ରପତି ଟ୍ରମ୍ପକୁ ନେଇ ସିନେଟରେ ମହାଭିଯୋଗ ଚର୍ଚ୍ଚା ଜୋର୍

ୱାଶିଂଟନ୍: ବୁଧବାର ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଆତ୍ମବିଶ୍ୱାସର ସହ ସିନେଟ୍କୁ ସାମ୍ନା କରିବାକୁ ଯାଇ ନିଜ ବାକ୍ୟଜାଲରେ ଛନ୍ଦି ହୋଇଯାଇଛନ୍ତି। ଦୁଇଟି ମହାଭିଯୋଗକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିବା ପାଇଁ ରିପବ୍ଲିକାନ୍ ସଭ୍ୟମାନେ ଅକଳରେ ପଡ଼ିଯାଇଥିବା ବେଳେ ଟ୍ରମ୍ପ କହିଥିଲେ, ‘କ’ଣ ଅଡୁଆରେ ପଡ଼ିଗଲ? ମତେ ଦୋଷୀ କରିବା ପାଇଁ ଆପଣମାନଙ୍କ ପାଖରେ ସାକ୍ଷୀ ନଥିଲେ, ମତେ ଡାକ। ମୋ’ଠାରୁ ବଡ଼ ସାକ୍ଷୀ ଆପଣମାନଙ୍କୁ ମିଳିବ ନାହିଁ।’

ରିପବ୍ଲିକାନ୍ ସଭ୍ୟମାନେ ଅକଳରେ ପଡ଼ି ଛଟପଟ ହେଉଥିବାବେଳେ ଡେମୋକ୍ରାଟ୍ ସଭ୍ୟମାନେ ସେମାନଙ୍କୁ ଭର୍ତ୍ସନା କରିବାକୁ ପଛାଇ ନଥିଲେ। କେବଳ ଶୁଣାକଥାରେ ବିଶ୍ୱାସ କରି ରିପବ୍ଲିକାନ୍ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚିଠା ଆଗତ କରିଛନ୍ତି। ଦଳର ନେତା ଟ୍ରମ୍ପଙ୍କୁ ବଞ୍ଚାଇବା ପାଇଁ ଡେମୋକ୍ରାଟ୍ ମ୍ୟାନେଜର ଅକାଟ୍ୟ ଯୁକ୍ତି ଉପସ୍ଥାପନ କରୁଥିଲେ। ବୁଧବାର ଟ୍ରମ୍ପ ସିନେଟ୍ରେ ଉପସ୍ଥିତ ରହି ପ୍ରତ୍ୟେକ ସଭ୍ୟଙ୍କର ପ୍ରତି ବାକ୍ୟକୁ ମନଯୋଗ ସହକାରେ ଶୁଣୁଥିଲେ।

ସିନେଟ୍କୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ମୋତେ ଅଭିଯୁକ୍ତ କରି ସଜାଇଥିବା ସିନେଟରମାନେ ମୋ ବିଷୟରେ କେତେ ଜାଣିଛନ୍ତି, ଶୁଣିବାକୁ ଚାଲିଆସିଛି।’ ଦିନକ ପୂର୍ବରୁ ସେ ରିପବ୍ଲିକାନ୍ ସଭ୍ୟମାନଙ୍କୁ କଡ଼ା ଶବ୍ଦରେ କହିଥିଲେ, ‘ଆମେରିକା ସମ୍ବିଧାନର ଧାରା ୨ ମତେ ରାଷ୍ଟ୍ରପତି ଭାବେ ସ୍ୱାଧୀନ ପଦକ୍ଷେପ ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିଛି। ଏଥିରେ କାହାର ହସ୍ତକ୍ଷେପ କରିବାର ଅଧିକାର ନାହିଁ। ମୁଁ ଯେତେବେଳେ ଯାହା କରିବାକୁ ଚାହିଁବି, କଂଗ୍ରେସର ବିନା ଅନୁମତିରେ କରିପାରିବି।’ ଟ୍ରମ୍ପଙ୍କ କଡ଼ା ଯୁକ୍ତି ନିକଟରେ ରିପବ୍ଲିକାନ୍ ସଭ୍ୟ ଆଦାମ ସ୍କିଫ୍ ଥଣ୍ଡା ପଡ଼ିଯାଇଥିଲେ। କିନ୍ତୁ ବୁଧବାର ଆଦାମ୍ ସ୍କିଫ୍ ଟ୍ରମ୍ପଙ୍କୁ ଗୋଟିଏ ଭିଡିଓ ଟେପ୍ ଶୁଣାଇଥିଲେ।

ଉକ୍ତ ଟେପ୍ରେ ଟ୍ରମ୍ପ ଜନୈକ ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫବିଆଇ) ଅଫିସରଙ୍କ ତ୍ରୁଟିପୂର୍ଣ୍ଣ ତଦନ୍ତକୁ ଦାୟୀ କରି ରୁଷିଆ ତଦନ୍ତ ଅଧିକାରୀଙ୍କ କଥାର ସତ୍ୟତା ପ୍ରତି ଆସ୍ଥା ପ୍ରକଟ କରିଥିବା କହିଥିଲେ। ଭିଡିଓ ବାର୍ତ୍ତାଟିକୁ ଶୁଣାଇବା ପରେ ସ୍କିଫ୍ ବିଦେଶୀ ଅଫିସରଙ୍କ ପ୍ରତି ଟ୍ରମ୍ପଙ୍କ ଗଭୀର ବିଶ୍ୱାସକୁ ଟାର୍ଗେଟ୍ କରି କହିଥିଲେ,‘ବିଦେଶୀ ତଦନ୍ତ ଅଧିକାରୀଙ୍କ କଥାରେ ପ୍ରଭାବିତ ହେଉଥିବା ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଜିତାପଟ ହାସଲ କରିବା ପାଇଁ ବିଦେଶୀ ଶକ୍ତିଙ୍କ ସାହାଯ୍ୟ ନେଉ ନଥିବା ଯୁକ୍ତି ପ୍ରହେଳିକା ସୃଷ୍ଟି କରୁଛି। ଆଗାମୀ ନିର୍ବାଚନରେ ଜୋ ବିଡେନ୍ (ବର୍ତ୍ତମାନ ଉପ-ରାଷ୍ଟ୍ରପତି)ଙ୍କୁ ହରାଇବା ପାଇଁ ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଉଥିବା ପ୍ରଣିଧାନଯୋଗ୍ୟ।’ ସ୍କିଫ୍ଙ୍କ ଯୁକ୍ତି ନିକଟରେ ଟ୍ରମ୍ପଙ୍କ ସବୁ ଦମ୍ଭ କୁଆଡ଼େ ଚାଲିଗଲା।

ଡିସେମ୍ବର ୩ରେ ରାଷ୍ଟ୍ରପତି ଏଫ୍ବିଆଇ ତଦନ୍ତ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିବାର ଭିଡିଓ ଟେପ୍ ରିପବ୍ଲିକାନ୍ ସଭ୍ୟଙ୍କ ହାତରେ ପଡ଼ିଲା କିପରି? ସେହି କଥା ଚିନ୍ତା କରି ଟ୍ରମ୍ପଙ୍କ ମୁଣ୍ଡ କାମ କଲାନି। ତେବେ ନିଜ ଆଇନ ପରାମର୍ଶଦାତା ଟିମ୍ ଓ ରିପବ୍ଲିକାନ୍ ମଧ୍ୟରେ ତାଳି ପକାଇବାକୁ ଯାଇ ସେ କହିଥିଲେ, ‘ମୁଁ ମାଇକ୍ ପମ୍ପେଓଙ୍କୁ ଗଭୀର ବିଶ୍ୱାସ କରେ। ମିକ୍ ମୁଲଭାନି, ରିକ୍ ପେରୀଙ୍କ ସମେତ ହାତଗଣତି ଅଧିକାରୀଙ୍କୁ ଗଭୀର ବିଶ୍ୱାସ କରି ଶାସନ ପରିଚାଳନା କରୁଛି।’ ସିନେଟର୍ ସ୍କିଫଙ୍କ ନିକଟରେ ୨୦୧୬ ନିର୍ବାଚନ ଭିଡିଓ ବାର୍ତ୍ତା ମହଜୁଦ ଥିଲା। ଉକ୍ତ ଭିଡିଓରେ ନିର୍ବାଚନରେ ଜିତିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ରୁଷିଆର ସହାୟତା ନେଇଥିବା ସନ୍ଦେହ କରାଯାଉଛି।

ରୁଷିଆ ହ୍ୟାକରଙ୍କ ସହାୟତାରେ ହିଲାରୀ କ୍ଲିଣ୍ଟନଙ୍କର ୩୦ ହଜାର ଇ-ମେଲ୍ ହ୍ୟାକ୍ କରି ନିଆଯାଇଥିଲା। ଉକ୍ତ ଇ-ମେଲରେ କ୍ଲିଣ୍ଟନ୍ ଭୋଟ ଭିକ୍ଷା କରିଥିଲେ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଟ୍ରମ୍ପ ପୁଣି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ସହାୟତା ନେଉଥିବା ଚୀନ୍ ଅଭିଯୋଗ କରିଛି। ରାଷ୍ଟ୍ରପତି ପଦମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରି ଟ୍ରମ୍ପ ସେଭଳି କିଛି ଗୁରୁତର ଅପରାଧ କରିନାହାନ୍ତି ବୋଲି ତାଙ୍କ ଓକିଲମାନେ କହିଛନ୍ତି।