୫୦୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଲମତାପୁଟ ପୁଲିସ ଦ୍ୱାରା ସୋମବାର ଭୋର ସମୟରେ ଏକ ଟ୍ରକରୁ ପ୍ରାୟ ୫୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥିସହିତ ଗଞ୍ଜେଇ ବେପାରରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତ ହେଲେ ବିହାରର ଶିବଜୀ କୁମାର ଓ ପୁତୁଲ କୁମାର। ଟ୍ରକ (ଓଆର-୧୪କ୍ୟୁ-୩୯୯୯)ରେ ଜଲାପୁଟରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଲମତାପୁଟ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା।

ଆଜି ଭୋର୍ ସମୟରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ ଏବଂ ଅନ୍ୟମାନେ ଚାଙ୍ଗଡିପଡ଼ା ଛକରେ ଟ୍ରକକୁ ଜଗିଥିଲେ। ସେହି ରାସ୍ତା ଦେଇ ଟ୍ରକଟି ଯାଉଥିବା ବେଳେ ପୁଲିସ ଅଟକାଇ ଯାଞ୍ଚ କରି ୫୦୦ କିଲୋ ଗଞ୍ଜେଇ ଉଦ୍ଧାର କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।