୫ହଜାର କର୍ମଚାରୀଙ୍କୁ ପଦୋନ୍ନତି ଦେବ ୱିପ୍ରୋ

ବେଙ୍ଗାଲୁରୁ: ଦୀପାବଳି ପୂର୍ବରୁ ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋ ଏହାର କର୍ମଚାରୀମାନଙ୍କୁ ଉପହାର ଦେବାକୁ ଯାଉଛି। ଏହା ଅନ୍ତର୍ଗତ ଆସନ୍ତା ତ୍ରୟମାସରେ କମ୍ପାନୀ ଏହା ୫ ହଜାର କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିପୋର୍ଟରେ ଏ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀ ଏହାର କର୍ମଚାରୀମାନଙ୍କୁ ନିଜ ସହିତ ଯୋଡ଼ିରଖିବା ଲାଗି ଏହି ପଦକ୍ଷେପ ଉଠାଇଛି।

ସେପ୍ଟେମ୍ବରରେ ସମାପ୍ତ ହୋଇଥିବା ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ୱିପ୍ରୋରେ କର୍ମଚାରୀମାନଙ୍କୁ ନିଜ ସହିତ ଯୋଡ଼ିରଖିବାର ହାର ୧୭% ଥିଲା, ଯାହା ଏପ୍ରିଲ୍-ଜୁନ୍ ତ୍ରୟମାସଠାରୁ ୦.୬୦% କମ୍। ଏହି ରିପୋର୍ଟରେ ୱିପ୍ରୋର ଏଚଆର୍ ମୁଖ୍ୟ ସୌରଭ ଗୋବିଲଙ୍କ ତରଫରୁ ଲେଖାଯାଇଛି ଯେ, ଅନ୍ୟ କମ୍ପାନୀଗୁଡ଼ିକ ତୁଳନାରେ କର୍ମଚାରୀମାନଙ୍କୁ ଯୋଡ଼ିରଖିବା ପ୍ରସଙ୍ଗରେ ୱିପ୍ରୋ ଉନ୍ନତ ସ୍ଥିତି ବଜାୟ ରଖିଛି। କମ୍ପାନୀ ପକ୍ଷରୁ ୫ରୁ ୮ ବର୍ଷର ଅଭିଜ୍ଞତା ଥିବା ୫୦୦୦ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ।

ଜୁନରେ ଶେଷ ହୋଇଥିବା ପ୍ରଥମ ତ୍ରୟମାସରେ କମ୍ପାନୀ ଏହାର ନୂତନ କର୍ମଚାରୀ (ଯେଉଁମାନେ କ୍ୟାମ୍ପସ୍ ପ୍ଲେସମେଣ୍ଟ ଜରିଆରେ ନିଯୁକ୍ତି ପାଇବା ସହିତ କମ୍ପାନୀରେ ବର୍ଷକର ଅଭିଜ୍ଞତା ରଖିଛନ୍ତି)ଙ୍କୁ ୧ ଲକ୍ଷ ଟଙ୍କାର ରିଟେନସନ୍ ବୋନସ୍ ଦେଇଥିଲା। ଏଥିସହିତ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ଆସିଥିବା ଏବଂ ୩ ବର୍ଷର ଅଭିଜ୍ଞତା ରଖିଥିବା କର୍ମଚାରୀଙ୍କୁ ମଧ୍ୟ କମ୍ପାନୀ ତରଫରୁ ବୋନସ୍ ଦିଆଯାଇଥିଲା।