ସରବାହାଲରୁ ମଦ ଦୋକାନ ସ୍ଥାନାନ୍ତର ଦାବି କଲେ ୫ଟି ସଂଗଠନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜନବସତି ତଥା ମନ୍ଦିର ଓ ସ୍କୁଲ ପାଖରେ ଥିବା ସରବାହଲର ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ଆଜି ଝାରସୁଗୁଡ଼ାର ୫ଟି ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଆଜି ଦୁର୍ଗତୀ ନାଶିନୀ ଚେରିଟେବୁଲ ଟ୍ରଷ୍ଟ, ପଶ୍ଚିମାଂଚଳ ଏକତା ମଞ୍ଚ, ଅଖିଳ ଭାରତୀୟ ଯୁବ ସଂଘ, ପାହାଡ଼େଶ୍ୱର ବିକାଶ ପରିଷଦ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସେମାନେ କହିଛନ୍ତି ଯେ, ସରବାହାଲ ହେଉଛି ଝାରସୁଗୁଡାର ପ୍ରାଣକେନ୍ଦ୍ର। ଏଠାରେ ଅନେକ ମନ୍ଦିର, ବିଦ୍ୟାଳୟ ଓ ଜନବସତି ରହିଛି। ଶିକ୍ଷା ଏବଂ ଧାର୍ମିକ ବାତାବରଣ ଥିବା ଏହି ସ୍ଥାନରେ ଗତ ମାସରେ ଏକ ବିଦେଶୀ ମଦ ଦୋକାନ ଖୋଲିଛି। ସରବାହାଲର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କଲେ ନୂତନ ଭାବରେ ଖୋଲାଯାଇଥିବା ମଦ ଦୋକାନଟି ସମ୍ପୂର୍ଣ୍ଣ ଭାବରେ ସରକାରୀ ଗାଇଡଲାଇନକୁ ଉଲଂଘନ କରୁଛି। ଏହି ମଦ ଦୋକାନଟି ସରବାହାଲ ଅଞ୍ଚଳର କୋମଳମତି ଶିଶୁ, ମହିଳା ତଥା ସାଧାରଣ ସାମାଜିକ ଜୀବନଯାପନକୁ ପ୍ରଭାବିତ କରୁଛି। ସେହିପରି ଏହି ମଦ ଦୋକାନ ଯୋଗୁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବା ସହ ଅଞ୍ଚଳର ବାତାବରଣ ପ୍ରଦୂଷିତ ହେଉଛି। ତେଣୁ ଶୀଘ୍ର ଏହି ମଦ ଦୋକାନକୁ ସରବାହାଲରୁ ସ୍ଥାନାନ୍ତରିତ କରାଯାଉ। ନହଲେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।