ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ଜରୁରୀ- ଧର୍ମେନ୍ଦ୍ର

ଭୁବନେଶ୍ୱର/ବାଲେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବିଶେଷ ଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସାମୁଦ୍ରିକ ବାତ୍ୟା “ୟାସ୍” ଦ୍ଵାରା ପ୍ରଭାବିତ ହୋଇଥିବା ବାଲେଶ୍ଵର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗାଁ, ସାରଥୀ ପଞ୍ଚାୟତର ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହାସହ ବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍‌ କାର୍ଯ୍ୟ, ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲେଶ୍ଵର ଜିଲ୍ଲାର ଚାରିଗୋଛିଆ ଅଞ୍ଚଳରେ ସାମାନ୍ୟ ଜୁଆର ହେଲେ ଏଠାରେ ଲୁଣି ପାଣି ମାଡ଼ିଯାଏ। ବାତ୍ୟା ପରେ ଏବେ ବି ଲୋକମାନେ ଲୁଣି ପାଣି ଘେରରେ ଅଛନ୍ତି। ଅଧିକାଂଶ ହେନ୍ତାଳ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି। ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହାର ଅଧିକ ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଛି। ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଞ୍ଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା। ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଏହାର ସିଧା ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। କିଛି ଅଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଯାଇଛି। ସେଠାରେ ଅନେକ ଭୂମିହୀନ ବସବାସ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପଟ୍ଟା ମିଳିଛି କିନ୍ତୁ ଜମି ମିଳିନାହିଁ। ଏହାର ସ୍ଥାୟୀ ପ୍ରତିକାର ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଚାରିଗୋଲିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ଖୁବଶୀଘ୍ର ନଦୀବନ୍ଧର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଞ୍ଚଳ କିପରି ସ୍ଵାଭାବିକ ହେବ ଏନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ଵର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏଯାଏଁ ବିଜୁଳି ଆସିନାହିଁ। ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର। ଏହାବ୍ୟତୀତ ବାତ୍ୟା ଏବଂ ବନ୍ୟାକୁ ଗୁରୁତର ସହ ନେବା ତଥା ଆଶ୍ରୟ ସ୍ଥଳ ଠାରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ମଜଭୁତ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।