ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ରୀଡ଼ାର ବିକାଶ ସହ ଉଦୀୟମାନ କ୍ରୀଡାବିତ୍ ସୃଷ୍ଟି କରିବା ପାଇଁ ଏକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି କରିଥିଲେ। ବିଧାୟକଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ସ୍ଥାନୀୟ ଶିକ୍ଷାବିତ, କ୍ରୀଡାବିତ, ସମାଜସେବୀଙ୍କ ସହିତ ଆଲୋଚନା କରିଥିଲେ।
ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଅନୁଯାୟୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଭିଡିଓ କନଫରେନ୍ସିଂରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ପ୍ରମୋଦ ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ଓ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ମନୋଜ ପରିଡା, କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ, ସମାଜସେବୀ କିଶୋର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ହେମନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ଯୁବସମାଜସେବୀ ମିଟୁ ମନୋଜ ନାୟକ, ପ୍ରାକ୍ତନ ପୌରାଧ୍ୟକ୍ଷା ପ୍ରତିନିଧି ବୁଢ଼ା ଲେଙ୍କା, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, କ୍ରୀଡାବିତ ଶେଷଦେବ ନାୟକ ଓ ଦିବ୍ୟଜ୍ୟୋତି ପଣ୍ଡା, ବିଭୁତିଭୂଷଣ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମହିଳା କ୍ରୀଡାବିତ ଦିବ୍ୟଜ୍ୟୋତି ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପାଠ କରିଥିଲେ। ଏହି ଅବସରରେ ପଟ୍ଟାମୁଣ୍ଡାଇରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଶେଷରେ ବିଧାୟକ ଶ୍ରୀ ସାହୁ ନିଜର ମତାମତ ଉପସ୍ଥାପନ କରିବା ସହିତ ଇଣ୍ଡୋର ଷ୍ଟାଡିୟମ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହ ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବିଡିଓ ଭରତ ପରିଡା, ସମାଜସେବୀ ପ୍ରଦ୍ୟୁମ୍ନ ସାମନ୍ତରାୟ, ଯୁବ ସମାଜସେବୀ ଇଂ. ସ୍ୱପ୍ନରଞ୍ଜନ ବେହେରା, ବିଭିନ୍ନ ପଞ୍ଚାୟତ ପ୍ରତିନିଧି, ସମାଜସେବୀ, ଶିକ୍ଷାବିତ, କ୍ରୀଡାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।