ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକରୁ ଜବତ ହୋଇଥିବା ନକଲି ଔଷଧ ଘଟଣାକୁ ଗୁରୁତର ସହ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ଶୁକ୍ରବାର ମୁମ୍ବାଇ ଯାଇଥିଲା। ସେଠାରେ ପହଞ୍ଚି ମୁମ୍ବାଇ ପୁଲିସ ହାତରେ ଗିରଫ ହୋଇଥିବା ନକଲି ମେଡିସିନ୍ କମ୍ପାନୀ ମାକ୍ସ ରିଲିଫ୍ ହେଲ୍ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ। ଅଭିଯୁକ୍ତ ସୁଦୀପ କିଛିଦିନ ତଳେ ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ମୁମ୍ବାଇ ପୁଲିସ ହାତରେ ଗିରଫ ହୋଇଥିଲେ। ଏବେ ସେ ଜେଲ୍ରେ ଅଛନ୍ତି। ସୁଦୀପଙ୍କ ମାକ୍ସ କମ୍ପାନୀରୁ କଟକର ମେଡିଲୟେଡ ମେଡିକାମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ମେଡିସିନ ସଂସ୍ଥା ଫାଭିପିରାଭିର୍-୪୦୦ ସମେତ ଅନ୍ୟାନ୍ୟ ନକଲି ଔଷଧ କିଣିଥିଲା। ଏହି ସବୁ ଔଷଧ କରୋନା ଚିକିତ୍ସାରେ ବ୍ୟବହାର ହେଉଥିବାରୁ ଏହାର ଚାହିଦା ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ଏଭଳି ନକଲି ଔଷଧ ଶସ୍ତାରେ କିଣୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ନୋଏଡ଼ାରେ ଥିବା ଏକ ଔଷଧ ଗୋଦାମରେ ସ୍ଥାନୀୟ ପୁଲିସ ଚଢ଼ଉ କରି ୨୫ ଲକ୍ଷ ଟଙ୍କାର ଫାଭିପିରାଭିର୍-୪୦୦ ଓ ଆଜିଥୋରାମାଇସିନ୍ର ନକଲି ଔଷଧ ଜବତ କରିଥିଲା। ପରେ ତଦନ୍ତ କରାଯିବାରୁ ଏହି ସଂସ୍ଥା ମୁମ୍ବାଇର ସୁଦୀପ ମୁଖାର୍ଜୀ ସହିତ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏମିତିକି କଟକର ଔଷଧ ସଂସ୍ଥା ମାଲିକ ଶିବପ୍ରସନ୍ନ ଜେନା ଏହି ଗୋଦାମରୁ ହିଁ ଔଷଧ କିଣିଥିଲେ। ଏନେଇ ଏସଟିଏଫର ଆଉ ଏକ ଟିମ୍ ଅଧିକ ତଦନ୍ତ କରିବା ପାଇଁ ନୋଏଡ଼ା ଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେହିପରି ଜବତ ହୋଇଥିବା ମେଡିସିନ ଉପରେ ହିମାଞ୍ଚଳପ୍ରଦେଶ ସୋଲାନ୍ ସହରରେ ଥିବା ମାକ୍ସ ରିଲିଫ୍ ହେଲ୍ଥ କେୟାର ନାମକ ଲେଖାଥିଲା। ପରେ ତଦନ୍ତ କରିବାରୁ ହିମାଞ୍ଚଳପ୍ରଦେଶ ସୋଲାନରେ ଏହି ନାମରେ କୌଣସି କମ୍ପାନୀ ନଥିବା ଜଣାପଡ଼ିଥିଲା। ତେଣୁ ଏସଟିଏଫର ଆଉ ଏକ ଟିମ୍ ହିମାଞ୍ଚଳପ୍ରଦେଶ ଯାଇ ତଦନ୍ତ କରିବ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ବିମାନ ଯୋଗେ ମୁମ୍ବାଇ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ମୁମ୍ବାଇ ପୁଲିସ ସହ ସେମାନେ ଆଲୋଚନା କରିଛନ୍ତି। ଏହାପରେ ମୁମ୍ବାଇ ପୁଲିସ ସୁଦୀପଙ୍କୁ ରିମାଣ୍ଡରେ ଆଣିବା ପାଇଁ ବ୍ୟବସ୍ଥା କରିଛି। ସେ ଆସିବା ପରେ ଏସଟିଏଫ ଟିମ୍ ତାଙ୍କୁ ଏହି ନକଲି ଔଷଧ ସମ୍ପର୍କରେ ପଚରାଉଚରା କରିବ। କେବେଠାରୁ କଟକକୁ ଔଷଧ ଯୋଗାଉଥିଲେ, କେତେ ପରିମାଣରେ ଆସୁଥିଲା, ଏଭଳି ଅନେକ ପ୍ରଶ୍ନକୁ ନେଇ ତାଙ୍କୁ ଘନଘନ ଜେରା କରାଯିବ ବୋଲି ଜଣାପଡ଼ିଛି।