ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ: ଥିଓରୀ ପାଇଁ ମାଟ୍ରିକ୍ ମାର୍କ ଏକମାତ୍ର ବିକଳ୍ପ, ପ୍ରାକ୍ଟିକାଲ୍ ନମ୍ବର ଦେବ କଲେଜ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ଏନେଇ ମୂଲ୍ୟାୟନ ମାନଦଣ୍ଡକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି। ୧୪ ଜଣିଆ ଏକ୍ସପର୍ଟ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ +୨ପରିଷଦ ମୂଲ୍ୟାୟନ କରିବ। ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ। ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବା ସହ ଫଳ ପ୍ରକାଶ ପାଇବ। ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସିଏଚ୍‌ଏସ୍‌ଇ ପକ୍ଷରୁ ଶୁକ୍ରବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଶେଷଜ୍ଞ କମିଟିର ମତାମତ ଆଧାରରେ ସିଏଚ୍‌ଏସ୍‌ଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟରେ ଡ୍ରାଫ୍ଟ ଦାଖଲ କରିଥିବାବେଳେ ବିଭାଗ ପକ୍ଷରୁ ମଧ୍ୟ ଏହାକୁ ମଞ୍ଜୁରି ମିଳିଛି। ତେବେ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ପରିଷଦ ମୂଲ୍ୟାୟନ କରିବ। +୨ର ରେଗୁଲାର୍ ପିଲାଙ୍କୁ ମାଟ୍ରିକ୍ ମାର୍କ ଆଧାରରେ ଥିଓରୀ ପେପରର ମାର୍କ ପ୍ରଦାନ କରାଯିବ। ପିଲାଙ୍କୁ ପ୍ରାକ୍ଟିକାଲ୍ ମାର୍କ କଲେଜ ସ୍ତରରେ ଦିଆଯିବ। ଆବଶ୍ୟକ ସ୍ଥଳେ ମାଟ୍ରିକ୍‌ର ପ୍ରାକ୍ଟିକାଲ୍ ମାର୍କକୁ ମଧ୍ୟ ହିସାବକୁ ନିଆଯିବ। ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ନମ୍ବର ବିଗତ ବର୍ଷର +୨ ପରୀକ୍ଷା ଅନୁସାରେ ମିଳିବ। ମାତ୍ର ଫେଲ୍ ହୋଇଥିବା ବିଷୟରେ ମାଟ୍ରିକ୍ ମାର୍କକୁ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ତେବେ ସିଏଚ୍‌ଏସ୍‌ଇ ପକ୍ଷରୁ ଦିଆଯାଇଥିବା ମାର୍କରେ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହେଲେ ସେମାନଙ୍କୁ ସ୍ଥିତି ସୁଧୁରିଲେ ପୁନଶ୍ଚ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। କରୋନା ସ୍ଥିତିରେ ସୁଧାର ହେଲା ପରେ ମାର୍କରେ ଅସନ୍ତୁଷ୍ଟ ଥିବା ପିଲାଙ୍କର ପରୀକ୍ଷା ଫିଜିକାଲ୍ ମୋଡ୍‌ରେ ହେବ। ବିଶେଷଜ୍ଞ କମିଟିର ମାର୍କିଂ ପଦ୍ଧତିକୁ ବିଶଦ୍ ଭାବେ ସିଏଚ୍‌ଏସ୍‌ଇ ୱେବସାଇଟ୍‌ରେ ଖୁବଶୀଘ୍ର ଅପଲୋଡ୍ କରିବ।

ମିଳିଥିବା ସୂଚନା ଅନୁଯାୟୀ, ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ମାର୍କିଂ ଲାଗି ସ୍ୱତନ୍ତ୍ର ମାନଦଣ୍ଡ ପ୍ରସ୍ତୁତ କରାଯାଇଛି। ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଥିଓରୀ ବିଷୟ ମାର୍କିଂ ପାଇଁ ଦଶମ ପରୀକ୍ଷାକୁ ହିସାବକୁ ନିଆଯିବ। +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଦଶମଶ୍ରେଣୀ ପରୀକ୍ଷାର ରିଲେଟଡ୍ ବିଷୟରେ ରଖିଥିବା ମାର୍କ ଅନୁସାରେ ନମ୍ବର ଦିଆଯିବ। ଯଦି ରିଲେଟେଡ ବିଷୟ ହୋଇନଥିବ, ତେବେ ଦଶମ ପରୀକ୍ଷାରେ ଭାଷାଭିତ୍ତିକ ବିଷୟ ଯଥା- ଓଡ଼ିଆ, ଇଂରାଜୀ ଏବଂ ସଂସ୍କୃତ/ହିନ୍ଦୀ ପରୀକ୍ଷାରେ ଯେକୌଣସି ୨ଟି ବିଷୟରେ ଅଧିକ ମାର୍କ ରହିଥିବ, ତାହାର ହାରାହାରି ନମ୍ବର ଦିଆଯିବ। ଦଶମର ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ବିଷୟକୁ ଆଧାର କରି +୨ ମାର୍କିଂ କରାଯିବ। ସେହିପରି ପ୍ରାକ୍ଟିକାଲ ନମ୍ବର ଲାଗି ଏକାଦଶ ଏବଂ ଦ୍ୱାଦଶରେ କଲେଜରେ ପିଲାମାନେ ଯେଉଁ ପ୍ରାକ୍ଟିକାଲ କରିଥିଲେ, ସେହି ପ୍ରଦର୍ଶନ ଅନୁସାରେ ପ୍ରାକ୍ଟିକାଲ ମାର୍କ ଦିଆଯିବ। ତେବେ କଲେଜ କର୍ତ୍ତୃପକ୍ଷ ପ୍ରାକ୍ଟିକାଲ ମାର୍କ +୨ ପରିଷଦରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର +୨ ପରୀକ୍ଷାକୁ ବାତିଲ କରିଥିଲେ। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହେବା ନେଇ ବିଭାଗ ଘୋଷଣା କରିଥିଲା। ତେବେ ଏନେଇ ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବିଶେଷଜ୍ଞ କମିଟିର ମତାମତକୁ ଆଧାର କରି ମୂଲ୍ୟାୟନ ବ୍ୟବସ୍ଥା ସ୍ଥିର କରାଯାଇଛି। ଅପରପକ୍ଷେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ବୋର୍ଡ ମଧ୍ୟ ମୂଲ୍ୟାୟନ ପ୍ରକ୍ରିୟା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସାର୍ବଜନୀନ କରିଛି। ମାଟ୍ରିକ୍‌, ଏକାଦଶ ଓ ଦ୍ୱାଦଶକୁ ଯାଥାକ୍ରମେ ୩୦-୩୦-୪୦ ଅନୁପାତରେ ଗ୍ରହଣ କରାଯାଇ ସିବିଏସଇ ପିଲାଙ୍କୁ ମାର୍କ ପ୍ରଦାନ କରାଯିବ।