ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଜୋରିମାନା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ କାଲିଆପାଳ ପଞ୍ଚାୟତର ଭିତରବଡ଼ା ଗ୍ରାମରେ ୨୦୦୮ ମସିହାରେ ସଂଘଟିତ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଆଜି ରାୟ ପ୍ରକାଶ ପାଇଛି । ମାନ୍ୟବର ସ୍ପେସିଆଲ ଟ୍ରାକ କୋର୍ଟ ବିଚାରପତି ସୁଧୀର କୁମାର ମିଶ୍ର ୭ଜଣ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ମାମଲାର ବିଚାର କରି ଅଭିଯୁକ୍ତ ମଣ୍ଟୁ ଓରଫ ହିମାଂଶୁ ଶେଖର ମହାନ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ଜୋରିମାନା ନଦେଲେ ୪ ମାସ ଅଧିକ ସଶ୍ରମ କାରାଦଣ୍ଡ ନେଇ ମାନ୍ୟବର ସ୍ପେସିଆଲ ଟ୍ରାକ କୋର୍ଟ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଡିସନାଲ ପବ୍ଲିକ ପ୍ରସିକ୍ୟୁଟର ସଂଯୁକ୍ତା ମିଶ୍ର ମୋକଦ୍ଦମା ପରିଚାଳନା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ୨୦୦୮ ମସିହା ଏପ୍ରିଲ ମାସ ୨ତାରିଖ ଭିତରବଡ଼ା ଗ୍ରାମର ଜଣେ ନାବାଳିକା ଗାଁ ଦୋକାନରୁ ସଉଦା କିଣି ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ମଣ୍ଟୁ ଏକ ନିଛାଟିଆ ସ୍ଥାନରେ ନାବାଳିକାକୁ ବଳପୂର୍ବକ ଭିଡ଼ି ଏକ ବୁଦା ମୂଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ନାବାଳିକା ଜଣକ ଚିତ୍କାର କରି କୌଶଳ ପୂର୍ବକ ଅଭିଯୁକ୍ତ କବଳରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବାରକୋଟ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତତ୍କାଳୀନ ଥାନାଧିକାରୀ ଜୟନ୍ତ କୁମାର ମହାପାତ୍ର ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ମାମଲାର ତଦନ୍ତ କରୁଥିବା ଏଡିସନାଲ ପବ୍ଲିକ ପ୍ରଶିକ୍ୟୁଟର ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।