ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଅବକାରୀ ବିଭାଗ ଜଣେ ଯୁବକକୁ କାବୁ କରି ତା’ ନିକଟରୁ ୪୨ ବୋତଲ କଫ ସିରଫ ଜବତ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଧୁମାଭଟା ଗ୍ରାମର ଧରଣୀଧର ପ୍ରଧାନ(୪୧) ।
ମିଳିଥିବା ରିପୋର୍ଟ ମୁତାବକ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ଉପନିରୀକ୍ଷକ କଣ୍ଟାବାଞ୍ଜି ଏବଂ ବଲାଙ୍ଗିର ଅବକାରୀ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଛପି ରହିଥିଲେ । ସନ୍ଦେହଜନକ ଭାବରେ ଆସୁଥିବା ଧରଣୀଧରକୁ ଅଟକାଇ ସେ ଧରିଥିବା ବ୍ୟାଗକୁ ତଲାସୀ କରିବା ପରେ ସେଥିରୁ ୪୨ଟି କଫ ସିରଫ୍ ବୋତଲ ଥିବା ଦେଖି ଅଧିକ ପଚରାଉଚୁରା କରିବା ପାଇଁ ତାକୁ ସ୍ଥାନୀୟ କାର୍ଯ୍ୟାଳୟକୁ ଆଣିିଥିଲେ । ପଚରାଉଚୁରା ବେଳେ ବେଲପଡ଼ାର ତପୁ ପୁଟେଲ ନାମକ ଜନୈକ ବ୍ୟକ୍ତି ଉକ୍ତ କଫ ସିରଫ ଯୋଗାଣ କରୁଥିବା ସେ ସୂଚନା ଦେଇଥିଲେ । ପରେ ତପୁକୁ ଚିହ୍ନଟ କରିବା ପାଇଁ ଧରଣୀଧରକୁ ନେଇ ଅବକାରୀ ବିଭାଗ ବେଲପଡ଼ା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜେଲ ଯାଇଥିବା ଧରଣୀଧର ୪/୫ ଦିନ ତଳେ ମୁକୁଳିଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ପରିଡ଼ା କହିଛନ୍ତି । ତେବେ ଆଜି ଧରଣୀଧରକୁ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।