କଳାହାଣ୍ଡି,ଏନ୍ଏନ୍ଏସ୍: ବନ୍ଧୁକ ମୂନରୁ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ଜଣ ନକ୍ସଲ । ରାମଦାସ ଓ କମଲଦେଇ ନାମକ ୨ନକ୍ସଲ ଆତ୍ମସପର୍ମଣ କରିବା ପରେ ପୁଲିସ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହିତ ନକ୍ସଲଙ୍କ ଆତ୍ମସମର୍ପଣ ଯୋଜନାରେ ଲାଭ ଦେବାକୁ ସୁଯୋଗ ଦେଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିବା ପରେ କଳାହାଣ୍ଡି ଏସପି ଡା. ଶ୍ରବଣ ବିବେକ ଏମ୍ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ରାମଦାସ ଓ କଲମଦେଇଙ୍କ ବିବାହ ଅନୁଷ୍ଠିତ ହୋଇଛି । ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସମେତ କଳାହାଣ୍ଡି ଏସପି ଏବଂ ଜିଲ୍ଲାସ୍ତରୀୟ ପୁଲିସ ବିଭାଗର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଉଭୟଙ୍କ ପରିବାର ମଧ୍ୟ ଉପସ୍ଥିତ ରହି ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଏହି ଅବସରରେ କଳାହାଣ୍ଡି ଏସପି ନକ୍ସଲମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ସରକାରଙ୍କ ଆତ୍ମସମର୍ପଣ ଯୋଜନାର ଲାଭ ପାଇବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ।
ସୂଚନାଯୋଗ୍ୟ, ଛତିଶଗଡ଼ର ଯୁବକ ରାମଦାସ ଗତ ୨୦୦୯ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓ ବାହିନୀର ଅନେକ ଅପରେସନରେ ସେ ସକ୍ରିୟ ଭାବେ ସାମିଲ ହେଉଥିଲେ । ହେଲେ ସଂଗଠନର ମୁଖ୍ୟମାନେ ମାଓବାଦର ଆଦର୍ଶ ଭୁଲି ରାମଦାସଙ୍କ ପରି ଯୁବକ ଯୁବତୀଙ୍କୁ ସାମ୍ନାରେ ରଖି ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ତାଙ୍କୁ ଭଲ ଲାଗୁ ନଥିଲା । ତେବେ ଅନ୍ୟ କୌଣସି ଉପାୟ ନପାଇ ସେ ୭ ବର୍ଷ ମାଓ ସଂଗଠନ ସହ ଜଡ଼ିତ ଥିଲେ । ୨୦୧୬ରେ ସଂଗଠନରେ କଲମଦେଇ ମାଝୀ ନାମକ ଜଣେ ଯୁବତୀ ସାମିଲ ହେବା ପରେ ରାମଦାସଙ୍କ ମନ ତାଙ୍କ ଆଡ଼କୁ ଢଳିଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷରେ ସଂଗଠନର ମୁଖ୍ୟଙ୍କ ଅନୈତିକ କାରବାର ଓ ହିଂସାତ୍ମକ କାର୍ଯ୍ୟକଳାପ ବିରୁଦ୍ଧରେ ରାମଦାସ ଓ କଲମଦେଇ ବିଦ୍ରୋହ ଘୋଷଣା କରିବା ସହିତ କଳାହାଣ୍ଡି ଏସପିଙ୍କଠାରେ ଆତ୍ମସମର୍ପଣ କରିଥିଲେ ।