ଲିଜେଣ୍ଡ୍ସ ଲିଗ ଟୁର୍ଣ୍ଣାମେଣ୍ଟରେ ଜଗିବେ ୪୦ ସେକ୍ସନ ଫୋର୍ସ: ଡିସିପି

କଟକ,ଏନ୍ଏନ୍ଏସ୍: ଆସନ୍ତା ୨୬, ୨୭, ୨୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କଟକ କମିଶନରେଟ ପୋଲିସ । ଖେଳାଳିଙ୍କ ଷ୍ଟାଡିୟମ ଆସିବାଠୁ ଆରମ୍ଭ କରି ଖେଳ ପରିଚାଳନା ଏବଂ ଯିବା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖିବ ପୋଲିସ । ମୋଟ ୪୦ ସେକସନ ଫୋର୍ସ ଏହି ମ୍ୟାଚର ସୁରକ୍ଷା ଦିଗରେ ମୁତୟନ ରହିବେ । ଏହାସହ ଅନ୍ୟାନ୍ୟ ଅତରିକ୍ତ ଡିସିପି, ଏସପି ରାଙ୍କର ପୋଲିସ ଅଧିକାରୀ ମଧ୍ୟ ଖେଳାଳିଙ୍କ ସୁରକ୍ଷାରେ ମୁତୟନ ରହିବେ । ଗତ ମ୍ୟାଚ ସମୟରେ ଯେପରି କମିଶନରେଟ ପୋଲିସ ନିଜର ଗୁରୁ ଦାୟିତ୍ୱ ବହନ କରିଥିଲା ସେହିପରି ଭାବରେ ଏହି ଲିଜେଣ୍ଡ ଲିଗ ମ୍ୟାଚକୁ ପରିଚାଳନା କରାଯିବ । ତେବେ ଏନେଇ ଆଜି କଟକ ଡିସିପି କାର୍ଯ୍ୟାଳୟରେ ସମସ୍ତ ଥାନା ଅଧିକାରୀ , ଅତରିକ୍ତ ଡିସିପିଙ୍କ ଉପସ୍ଥିତିରେ ବୈଠକ କରିଥିଲେ କଟକ ଡିସିପି ପିନାକ ମିଶ୍ର । ଯେପରି ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଦିଗକୁ ମଜଭୁତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ଲିଜେଣ୍ଡ୍ସ ଲିଗର ବ୍ୟାପକ ପ୍ରସ୍ତୁତିକୁ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, “ତେବେ ଆସନ୍ତା ୨୬, ୨୭, ୨୯ ରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ସମୁଦାୟ ୪ଟି ଦଳ ଭାଗ ନେବେ । ତିନିଦିନ ଧରି ହେବକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲିଜେଣ୍ଡ୍ସ ଲିଗ ଖେଳାଯିବା ନେଇ ଓସିଏ ଏବଂ ଲିଜେଣ୍ଡ୍ସ ଲିଗ ଆୟୋଜକ ସହିତ ଆମର ବୈଠକ ବସିଥିଲା । ଟୁର୍ଣ୍ଣାମେଣ୍ଟର ଖେଳାଳିମାନେ ଭୁବନେଶ୍ବରରେ ରହିବେ । ହେଲେ ସେମାନେ ଖେଳିବା ପାଇଁ କଟକ ବାରବାଟୀକୁ ଆସିବେ । ଅନ୍ତର୍ଜାତୀୟ ମ୍ୟାଚ ଭଳି ଭିଡ ହେବାର ସମ୍ଭାବନା ନାହିଁ । ଦର୍ଶକଙ୍କୁ ଦେଖି ପୋଲିସ ବ୍ୟବସ୍ଥା କରାଯାଇଛି । ସମୁଦାୟ ୪୦ ସେକ୍ସନ ଫୋର୍ସ ଏଥିପାଇଁ ମୁତୟନ ହେବେ । ଦୁଇ ଜଣ ଆଡିସନାଲ ଡିସିପି ସୁପରଭାଇଜ କରିବେ । ଷ୍ଟାଡିୟମ ଭିତର ଏବଂ ଷ୍ଟାଡିୟମ ବାହାରର ସିକ୍ୟୁରିଟି ବ୍ୟବସ୍ଥା ଆଦିର କଡାକଡି କରାଯିବ ।”