୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୨୯ ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ଆଜି ରାଜ୍ୟ ଶାଖା ପକ୍ଷରୁ ନଡ୍ଡାଙ୍କ ପୁରା କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ୨୯ ତାରିଖ ସକାଳ ୧୦ଟାରେ ନଡ୍ଡା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ସିଧାସଳଖ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବ ।

ଦଳୀୟ କାର୍ଯ୍ୟାଳୟରେ କିଛି ସମୟ ରହିବା ପରେ ଜନତା ମୈଦାନ ଯିବେ । ସେଠାରେ ଦିନ ୧୧ଟା ବେଳେ ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ସାରି ପୁଣି ଥରେ ଦଳୀୟ କାର୍ଯ୍ୟାଳୟ ଫେରି ଆସି ବିଭିନ୍ନ ପଦାଧିକାରୀଙ୍କ ସହ ଏକାଧିକ ବୈଠକ କରିବେ ।

ଯେଉଁ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ। ପରେ ସାଙ୍ଗଠନିକ ବୈଠକ ବି ହେବ। ସେହିଦିନ ତଥା ୨୯ ରାତିରେ ଜେପି ନଡ୍ଡା ପୁରୀ ଯାଇ ବିଶ୍ରାମ କରିବେ । ୩୦ ତାରିଖ ସକାଳେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ । ମନ୍ଦିରରେ କିଛି ସମୟ ପୂଜାର୍ଚ୍ଚନା କରିବେ । ପୁରୀରୁ ଜେପି ନଡ୍ଡା ସିଧା ସଳଖ ଭଦ୍ରକ ଜିଲ୍ଲାର ଧାମନଗର ଯିବେ । ଧାମନଗରରେ ଦିଂବଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବେ ।

ଏହା ପରେ ଧାମନଗରରୁ ଫେରି ସିଧା ସଳଖ ଜନତା ମୈଦାନ ଆସିବେ । ଯେଉଁ ଠାରେ ଦଳୀୟ ସଂଗଠନର ୭ଟି ମୋର୍ଚ୍ଚାର ବିଭିନ୍ନ ପଦାଧିକାରଙ୍କ ସହ ଆଲୋଚନା କରିବେ । ପରେ ସଂଯୁକ୍ତ ମୋର୍ଚ୍ଚାକୁ ସମ୍ବୋଧିତ କରିବେ ନଡ୍ଡା । ପରେ ସେହି ଦିନ ସଂଧ୍ୟାରେ ନୂଆଦିଲ୍ଲୀ ଫେରିଯିବେ ବିଜେପି ଅଧ୍ୟକ୍ଷ ବୋଲି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।