୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଏକ ବନ୍ଧାକୋବି ଭରା ପିକଅପ୍ ଭ୍ୟାନରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏଥିସହିତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଭୋଜପୁର ଜିଲ୍ଲା ତାରାକାଇ ଗ୍ରାମର ପୱନ ପାଶ୍ୱାନ(୩୦), ମାଛକୁଣ୍ଡ ଥାନା ଡାଲଡାପୁଟ ଗ୍ରାମର ପ୍ରଫୁଲ୍ଲ ଦଳେଇ(୨୩), ବାଙ୍ଗୁରିପୋଡା ଗ୍ରାମର ଦିଲ୍ଲୀପ ଖୀଲ(୨୦), ବିନତ ଖୀଲ(୨୦), ରବି ଖୀଲ(୩୨) ଓ ଜୟପୁର ଟାଉନ ଥାନା ଗୋପବନ୍ଧୁ ନଗରର ମଙ୍ଗଳଦାନ ଖରା(୩୬)। ଲମତାପୁଟ ଅଞ୍ଚଳରୁ ଜୟପୁରକୁ ବନ୍ଧାକୋବି ଓ ବୋଇତାଳୁ ଭରା ପିକଅପ୍ ଭ୍ୟାନରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା।

ସୂଚନା ପାଇ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ. ମହାକୁଡ, ସବ ଇନ୍ସପେକ୍ଟର ଏସ୍ ପଣ୍ଡା ଓ ଅନ୍ୟମାନେ କୋଟ୍ଟା ଛକରେ ଗାଡିକୁ ଅପେକ୍ଷା କରି ରହିଥିଲେ। ପିକଅପ୍ ଭ୍ୟାନ ପହଞ୍ଚିବା ମାତ୍ରେ ଅଟକାଇ ଯାଞ୍ଚ କରିଥିଲେ ଓ ସେଥିରୁ ଜରି ଅଖାରେ ଥିବା ଗଞ୍ଜେଇ ଜବତ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଗଞ୍ଜେଇର ଓଜନ ୩୯୩ କିଲୋ ଜଣାପଡିଥିଲା। ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗଞ୍ଜେଇ ଏବଂ ପିକଅପ୍ ଭ୍ୟାନ ସହ ପୁଲିସ ନଗଦ ୧୧,୭୦୦ ଟଙ୍କା, ୫ଟି ମୋବାଇଲ ଫୋନ୍ ଏବଂ ୩ଟି ମୋଟର ସାଇକେଲ ଜବତ କରାଯାଇଛି।