କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ପୁଣି ଥରେ ବିପୁଳ ବିଜୟ ହାସଲ କରିଛି। ମମତା ନନ୍ଦୀଗ୍ରାମରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ସୁଦ୍ଧା ଟିଏମସି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଅକ୍ତିଆର କରିବାକୁ ଯାଉଛି। ବିଜେପିର ସମସ୍ତ ରଣନୀତିର ଉଚିତ ମୁକାବିଲା କରିବାରେ ମମତା ସଫଳ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ରାଜନେତାମାନେ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି। ମମତାଙ୍କ ଦଳ ଦୁଇଶହରୁ ଅଧିକ ଆସନ ହାତେଇ ଡବଲ ସେଞ୍ଚୁରୀ ମାରିଥିବାବେଳେ ବିଜେପି କିନ୍ତୁ ଦୁଇଅଙ୍କରେ ଅଟକି ଯାଇଛି। ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ସଭାରେ ଉଦ୍ବୋଧନ ଦେଇ କହିଥିଲେ ଯେ ନନ୍ଦୀଗ୍ରାମରେ ଭୋଟରମାନେ ଏତେ ଚୌକା, ଛକା ମାରିଛନ୍ତି ଯେ ବିଜେପି ଶତକ ହାସଲ କରିସାରିଛି। ଅର୍ଥାତ ବିଜେପି ପକେଟକୁ ଶହେ ଆସନ ଆସିବା ନିଶ୍ଚିତ ହୋଇପଡିଛି। ତେବେ ମୋଦୀଙ୍କର ଏଭଳି ଆକଳନକୁ ମମତା ଭୁଲ ପ୍ରମାଣିତ କରିବାରେ ସମର୍ଥ ହୋଇଛନ୍ତି। ଟିଏମ୍ସିର ଏହି ବିଜୟ ପଛରେ ୭ଟି ମୁଖ୍ୟ କାରଣ ରହିଥିବା ସମୀକ୍ଷକମାନେ କହିଛନ୍ତି।
(୧) ମହିଳା ଭୋଟ୍: ଟିଏମସିର ବିଜୟ ପଛରେ ମହିଳାଙ୍କର ଯଥେଷ୍ଟ ଅବଦାନ ରହିଥିବା କୁହାଯାଇଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ବିଗତ ୬/୭ ବର୍ଷ ମଧ୍ୟରେ ମହିଳାଙ୍କ ପାଇଁ ଏକାଧିକ ଯୋଜନା ପ୍ରଣୟନ କରିଥିଲେ ସୁଦ୍ଧା ମମତାଙ୍କ ଆବେଗଭରା ସ୍ଲୋଗାନ କିନ୍ତୁ ରାଜ୍ୟର ମହିଳା ଭୋଟରଙ୍କୁ ଅଧିକ ପ୍ରଭାବିତ କରିଛି। ମମତା ସବୁବେଳେ କହିଆସୁଥିଲେ ସେ ନିଜେ ଜଣେ ମହିଳା, ପଶ୍ଚିମବଙ୍ଗର ଝିଅ। ରାଜ୍ୟରେ ୩.୭ କୋଟି ମହିଳା ଭୋଟର ଥିବାବେଳେ ମମତାଙ୍କ ସରକାର ସେମାନଙ୍କ ପାଇଁ ୨୦୦ରୁ ଅଧିକ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି। ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟର ଟିଏମସି ଆଡକୁ ଢଳିଛନ୍ତି।
(୨) ମୁସଲମାନ ଭୋଟ୍: ପଶ୍ଚିମବଙ୍ଗ ଲୋକସଂଖ୍ୟାର ୩୦ ପ୍ରତିଶତ ହେଉଛନ୍ତି ମୁସଲମାନ। କୋଲକାତା, ମୁର୍ଶିଦାବାଦ, ମାଲଦା, ଉତ୍ତର ଓ ଦକ୍ଷିଣ ଦିନାଜପୁରରେ ମୁସଲମାନ ଲୋକସଂଖ୍ୟା ଅଧିକ। ଏହି ଜିଲ୍ଲାରେ ଅବସ୍ଥିତ ୧୦୦-୧୧୦ ବିଧାନସଭା ଆସନରେ ମୁସଲମାନଙ୍କ ଭୋଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ। ୨୦୧୧ ପରଠାରୁ ମୁସଲମାନ ଭୋଟର ଟିଏମ୍ସିକୁ ସେମାନଙ୍କର ସମର୍ଥନ ଅବ୍ୟାହତ ରଖିଆସୁଛନ୍ତି। ମୁସଲମାନଙ୍କ ନିମନ୍ତେ ମମତା ଏକାଧିକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବାରୁ ଅଧିକାଂଶ ସମୟରେ ଲୋକେ ତାଙ୍କୁ ‘ମମତାଜ୍ ବେଗମ’ ବୋଲି କଟାକ୍ଷ କରିଥାନ୍ତି।
(୩) ହିନ୍ଦୁ ଭୋଟକୁ ହାତେଇବାରେ ବିଜେପି ବିଫଳ: ପଶ୍ଚିମବଙ୍ଗରେ ହିନ୍ଦୁ ଭୋଟକୁ ହାତେଇବାରେ ବିଜେପି ଏକପ୍ରକାର ବିଫଳ ହୋଇଛି। ମୋଦୀ ମାର୍ଚ୍ଚରେ ବାଂଲାଦେଶ ଗସ୍ତରେ ଯାଇଥିବାବେଳେ ଓରାକାଣ୍ଡିଠାରେ ମାଟୁଆ ସଂପ୍ରଦାୟର ପ୍ରତିଷ୍ଠାତା ହରିଚାନ୍ଦ ଠାକୁରଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବର୍ତ୍ତମାନ ପଶ୍ଚିମବଙ୍ଗରେ ୩୫ ବିଧାନସଭା ଆସନରେ ମାଟୁଆ ସଂପ୍ରଦାୟ ଭୋଟରଙ୍କ ଆଧିପତ୍ୟ ରହିଛି। ତେବେ ଏହି ଭୋଟକୁ ନିଜ ସପକ୍ଷରେ ଆଣିବାରେ ବିଜେପି ବିଫଳ ହୋଇଥିବା କୁହାଯାଇଛି।
(୪) ଶେଷ ୩ଟି ପର୍ଯ୍ୟାୟରେ ବିଜେପିର ଦୁର୍ବଳ ପ୍ରଚାର: ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା। ପ୍ରଥମ ୫ ପର୍ଯ୍ୟାୟ ପର୍ଯ୍ୟନ୍ତ ଉଭୟ ଟିଏମ୍ସି ଓ ବିଜେପି ଘମାଘୋଟ ପ୍ରଚାର ଚଳାଇଥିଲେ। ତେବେ କୋଭିଡ୍ର ଦ୍ୱିତୀୟ ଲହରୀ ଆସିବାରୁ ଶେଷ ତିନିଟି ପର୍ଯ୍ୟାୟରେ (ଏପ୍ରିଲ ୨୨,୨୬,୨୯) ବିଜେପିର କୌଣସି ତୁଙ୍ଗ ନେତା ପ୍ରଚାର ମଇଦାନକୁ ଓହ୍ଲାଇନଥିଲେ। ଏହା ଟିଏମ୍ସିକୁ ପରୋକ୍ଷରେ ସହାୟତା କରିଥିଲା।
(୫) କଂଗ୍ରେସର ୱାକଓଭର: ଚଳିତ ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ପରିଲକ୍ଷିତ ହୋଇଥିଲା। କୋଭିଡ୍ ଯୋଗୁଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାରରୁ ଦୂରେଇ ଯାଇଥିଲେ। ଏହା ଟିଏମସିକୁ କିଛିମାତ୍ରାରେ ସହାୟକ ହୋଇଥିବା କୁହାଯାଇଛି। କଂଗ୍ରେସ ନେତାଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି ସମାଲୋଚନା କରିଥିଲା।
(୬) କୋଭିଡ୍: ନିର୍ବାଚନ ଚାଲିଥିବାବେଳେ ଦେଶରେ କୋଭିଡ୍ର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଥିଲା।ା ଏହି ପରିପ୍ରେକ୍ଷୀରେ ଲୋକଙ୍କର ସବୁ ଆକ୍ରୋଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ଏହାର ଫାଇଦା ଟିଏମ୍ସିକୁ ମିଳିଥିବା କୁହାଯାଇଛି।