ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୁଲିସ ନିକଟରେ ୪ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ ଜଣ ମାଓବାଦୀ ଜିଲ୍ଲା ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ‘ଘରକୁ ଫେରିଆସ’ ଅଭିଯାନରେ ବହୁ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ତେବେ ଆଜି ଏରିଆ କମିଟି ମେମ୍ବର ବୁଧୁରା ସୋଡି ଓରଫ ସୋଡି ଭାସ୍କର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ବୁଧୁରା ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବୁଧୁରା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି। ଏଥିରେ ହତ୍ୟା, ଲୁଟପାଟ, ମାରପିଟ, ବୋମା ବିସ୍ଫୋରଣ, ପୁଲିସ ଉପରେ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ ସାମିଲ ରହିଛି।
ସେହିପରି ସିଏନଏମ୍ ଅଧ୍ୟକ୍ଷ ମନକି ଆଲାମୀ, ସୁନ୍ଦର ପାଦାମୀ ଏବଂ ମୋଟି ମାଣ୍ଡବୀ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମନକି ଆଲାମୀ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ୩ ଜଣଙ୍କ ନାମରେ ମଧ୍ୟ ବହୁ ମାମଲା ରହିଥିବା ପୁଲିସ କହିଛି। ସଂଗଠନରେ ପୂର୍ବଭଳି କୌଣସି ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ କାମ କରାଯାଉନଥିବାରୁ ଏମାନେ ସଂଗଠନ ଛାଡିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି। ପୁଲିସ ତରଫରୁ ସମସ୍ତଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।