ଗଛରେ ପିଟି ହେଲା ଗାଡି, ଚାଲିଗଲା ୪ ଜୀବନ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ହାଟବାଦଲା ଅଞ୍ଚଳର ଟେଣ୍ଟପଶି ଗାଁରୁ ୧୧ ଜଣ ଲୋକ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜିରାଙ୍ଗକୁ ବଳଦ କିଣିବା ପାଇଁ ଏକ ବୋଲେରୋ ଯାଉଥିଲେ। ବିଳମ୍ବିତ ରାତିରେ ବୋଲେରୋ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ୩ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ପାଇ ପଣ୍ଡପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।