ବରଗଡ଼ ଜିଲ୍ଲାରେ ପୃଥକ୍ ସଡ଼କ ଦୁର୍ଘଟଣା: ୪ ମୃତ ଓ ୧ ଗୁରୁତର

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଘଟିଥିବା ପୃଥକ୍ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତକାଲି ରାତିରେ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ବଲାଙ୍ଗିରରୁ ଆସୁଥିବା ଏକ ଅଟୋ(ଓଡି-୦୩ପି-୭୨୭୮)କୁ ଏକ ଟ୍ରକ(ଏପି-୧୬ଟିକ୍ୟୁ-୧୬୭୫) ସାମନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ସମେତ ଅଟୋରେ ବସିଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଅଟୋ ଡ୍ରାଇଭର ଜଣଙ୍କ ବଲାଙ୍ଗିର ବିଭୂତିପଡ଼ାର ଜଗୁ ବାଗ ହୋଇଥିବାବେଳେ ଅନ୍ୟ ଦୁଇ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଅନୁରୂପ ଭାବେ ଆଜି ସକାଳ ପ୍ରାୟ ୭ଟା ୩୦ ମିନିଟ ସମୟରେ ବରପାଲି କଦଳିପାଲି ଗ୍ରାମ ନିକଟ ୨୬ ନମ୍ବର ଜାତୀୟ ରାଜପଥର ବୁଲାଣିରେ ଏକ ମୋଟର ସାଇକେଲକୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମୋଟର ସାଇକେଲ ଆରୋହୀ ଦୁହେଁ ତଳେ ପଡ଼ିଯାଇଥିଲେ। ଏଥିରେ କଟକ ଚଉପଡ଼ାର ଜଣେ ବାଇକ୍ ଆରୋହୀ ସନ୍ତୋଷ କୁମାର ଭୋଇ(୨୧)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ ଆରୋହୀ ବିଶ୍ୱନାଥ ଭୋଇ ଗୁରୁତର ଆହତ ହୋଇଥିଲେ। ସନ୍ତୋଷଙ୍କ ଶବ ବ୍ୟବଚ୍ଛେଦ କରିବା ସହିତ ଗୁରୁତର ବିଶ୍ୱନାଥଙ୍କୁ ବୁର୍ଲା ସ୍ଥାନାନ୍ତରିତ କରି ତଦନ୍ତ କରୁଛି ପୁଲିସ। ଉଭୟ ଯୁବକ ବରପାଲିରେ ରହି ମୋବାଇଲ ଟାୱାର ଗୁଡିକରେ କାମ କରୁଥିଲେ ବୋଲି ଜଣାପଡ଼ିଛି।